ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖୀରୀରେ କୃଷକଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହୋଇଛି। ଉତ୍ତରପ୍ରଦେଶ ଆଜି ସୁପ୍ରିମକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟର୍ ଦାଖଲ କରିଛି। କିନ୍ତୁ ଉତ୍ତରପ୍ରଦେଶ ସରକାରଙ୍କ ଯାଞ୍ଚକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉକ୍ତ ମାମଲାରେ ଯେଉଁ ଅଭିଯୁକ୍ତଙ୍କ ନାଁରେ ମାମଲା ଦାୟର ହୋଇଛି ସେମାନଙ୍କୁ କ’ଣ ପାଇଁ ଗିରଫ କରାଯାଇ ନାହିଁ ସେନେଇ ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେସ୍ ଲଢ଼ୁଥିବା ହରିଶ ସାଲଭେ ସୁପ୍ରିମକୋର୍ଟକୁ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କାଲି ୧୧ଟା ବେଳେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବେ। ସେ ସମୟ ମାଗିଛନ୍ତି। ଆମେ କାଲି ୧୧ଟା ପର୍ଯ୍ୟନ୍ତ ସମୟ ଦେଇଛୁ। ଯଦି ସେ କାଲି ହାଜର ନହୁଅନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।