ଧରା ପଡିଲା ଲେଡି ଡନ ଯଶୋଦା

ନୟାଗଡ଼,ଏନ୍ଏନ୍ଏସ୍: ଲେଡି ଡନ ଯଶୋଦା ପ୍ରଧାନଙ୍କୁ ରବିବାର ନୟାଗଡ଼ ଜିଲ୍ଲା ରଣପୁର ପୁଲିସ ଗିରଫ କରିଛି। ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ନୟାଗଡ଼-ଅସୁରକୁମାରି ଅଞ୍ଚଳରୁ କୁଖ୍ୟାତ ଡକାୟତ ଯଶୋଦା ପ୍ରଧାନ ଓ ତାର ସହଯୋଗୀ ସୁବ୍ରତ ନାୟକକୁ ଗିରଫ କରିଛି।

ପୂର୍ବରୁ ଯଶୋଦା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ପୁଲିସ ଖୋଜୁ ଥିବାବେଳେ ରବିବାର ଯଶୋଦାକୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଯଶୋଦା ପ୍ରଧାନ ନାମରେ ପୂର୍ବରୁ ରଣପୁର ଥାନା ସମେତ ନୟାଗଡ଼, ଖୋର୍ଦ୍ଧା ଏବଂ ଇଟାମାଟି ଥାନାରେ ପୃଥକ ପୃଥକ ଡକାୟତି ମାମଲା ରୁଜୁ ଥିବା ପୁଲିସ ସୂଚନା ଦେଇଛି। ତା’ଠାରୁ ବନ୍ଧୁକ, ଖଣ୍ଡା, ଛୁରୀ, ଲୁହା ଚେନ ଆଦି ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି ।

ଯଶୋଦା ଅସୁରକୁମାରୀ ଠାରେ ଡକାୟତି ଯୋଜନା କରୁଥିବା ଖବରପାଇ ପୁଲିସ ଚଢ଼ଉ କରିଥିଲା । ସମଗ୍ର ରାଜ୍ୟରେ ଯଶୋଦା ନାମରେ ୫୦ରୁ ଉଦ୍ଧ୍ୱର୍ ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ସେ ବିଭିନ୍ନ ସମୟରେ ବେଶ ବଦଳାଇ ଡକାୟତି କରୁଥିବାରୁ ପୋଲିସ ତାକୁ ଧରିବାରେ ସକ୍ଷମ ହେଉନଥିଲା। ଯଶୋଦାର ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଫାଶୀପଲ୍ଲୀ ଗାଁ’ରେ ବୋଲି ଜଣାପଡ଼ିଛି । ସେହିପରି ତାର ସହଯୋଗୀ ସୁବ୍ରତ ନାୟକର ଘର ନୟାଗଡ଼ ଜିଲ୍ଲା ଡମସାହି ବୋଲି ଜଣାଯାଇଛି। ତେବେ ରଣପୁର ପୁଲିସ ପାଇଁ ଏହା ବଡ଼ ସଫଳତା ବୋଲି ଆଲୋଚନା ହେଉଛି । ପୁଲିସ ଯଶୋଦା ଗ୍ୟାଙ୍ଗର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବାକୁ ସହଜ ହେବ ବୋଲି ସୂଚନା ଦେଇଛି।