ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କଲେ ଯୁବତୀ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ତଳସାହିରେ ଜଣେ ଯୁବତୀ ପଙ୍ଖାରେ ଫାଶୀ ଲଗାଇ ଅତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଯୁବତୀ ଜଣଙ୍କ ହେଉଛନ୍ତି ପିଣ୍ଟୁ ସାହୁଙ୍କ ୨୦ବର୍ଷୀୟ ପତ୍ନୀ ଯଶସ୍ୱିନୀ। ସକାଳେ କୌଣସି କାରଣରୁ ଯଶସ୍ୱିନୀ ତାଙ୍କ ୯ମସର ଝିଅକୁ ମାଡ଼ ମାରୁଥିଲେ। ଏଥିରେ ବିଗିଡ଼ି ଯାଇ ପିଣ୍ଟୁ ତାଙ୍କୁ ବାଧା ଦେବା ସହ ଗାଳିଗୁଲଜ କରି ଝିଅକୁ ଧରି ପଦାକୁ ଚାଲି ଆସିଥିଲେ।

କିଛି ସମୟ ପରେ ପିଣ୍ଟୁ ଘରକୁ ଫେରି କବାଟ ଖୋଲିବାକୁ ଯଶସ୍ୱିନୀଙ୍କୁ ଡାକିଥିଲେ। ସେ କବାଟ ଖୋଲି ନ ଥିଲେ କି, କୌଣସି ଜବାବ ଦେଇନଥିଲେ। ଫଳରେ ପିଣ୍ଟୁ ଝିଅ ଘରକୁ ଖବର ଦେଇଥିଲେ। ସେମାନେ ଓ ଅନୁଗୁଳ ପୁଲିସ ପହଞ୍ଚି କବାଟ ଭାଙ୍ଗି ଘର ଖୋଲିବା ପରେ ଯଶସ୍ୱିନୀ ଫ୍ୟାନ୍‌ରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।

ପରେ ପୁଲିସ ତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।