ଭାରତ ଓ ଚୀନ ବିବାଦକୁ ନେଇ ରାଜ୍ୟସଭାରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଭାରତ ଓ ଚୀନ ବିବାଦକୁ ନେଇ ଆଜି ରାଜ୍ୟସଭାରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି କି ପୂର୍ବ ଲଦାଖ ସ୍ଥିତ ଏଲଏସିରେ ଭାରତ ଯୁଦ୍ଧ ଟାଳିବାକୁ ପ୍ରୟାସ କରୁଛି। ଭାରତ ସବୁବେଳେ ପଡ଼ୋଶୀ ରାଷ୍ଟ୍ର ସହିତ ଶାନ୍ତି ବଜାୟ ରଖିବାକୁ ଚାହେଁ। ଭାରତ ଏହି ମାମଲାକୁ କଥାବାର୍ତ୍ତା କରି ସମାଧାନ କରିବାକୁ ଚାହୁଁଛି।

ଏଥିସହିତ ଶ୍ରୀ ସିଂ କହିଛନ୍ତି କି ଚୀନ ୧୯୯୩ ଓ ୧୯୯୬ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଏଲଏସିରେ ସେନା ସଂଖ୍ୟା କମ ରହିବ ଏବଂ ଯଦି କୌଣସି ବିବାଦ ସୃଷ୍ଟି ହୁଏ, କଥାବାର୍ତ୍ତା କରି ତାର ସମାଧାନ କରାଯିବ ଓ କୌଣସି ପରିସ୍ଥିତିରେ ଚୁକ୍ତିର ଉଲ୍ଲଂଘନ କରାଯିବ ନାହିଁ। ତେବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସୃଷ୍ଟି ନ ହେବା ପାଇଁ ପରସ୍ପର ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଚୀନ ଏହି ପ୍ରୟାସରୁ ପଛଘୁଞ୍ଚା ଦେଇଥିବା ଶ୍ରୀ ସିଂ କହିଛନ୍ତି।

ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନର ଗତିବିଧିରୁ ସ୍ପଷ୍ଟ ଜଣାପଡୁଛି ଯେ ସେ ଯାହା କହୁଛି ଏବଂ କରୁଛି ସେଥିରେ ବହୁତ ଅନ୍ତର ରହିଛି। ଚୀନ ସମାଧାନର ଚୁକ୍ତିକୁ ପାଳନ ନକରିବାରୁ ଏଲଏସି ନିକଟରେ ଫେସ ଅଫ୍ ପରିସ୍ଥିତି ସୃଷ୍ଟି ହୋଇଛି। ଚୀନ ସେନାର ଏହି ହିଂସକ ବ୍ୟବହାର ସବୁ ଚୁକ୍ତିର ଉଲ୍ଲଂଘନ କରୁଛି। ସେମାନେ ଦକ୍ଷିଣ ଓ ଉତ୍ତର ପେଙ୍ଗାଙ୍ଗ ସମେତ ଅନ୍ୟ ସ୍ଥାନ ମାନଙ୍କରେ ବଡ଼ ପରିମାଣର ବିସ୍ଫୋରକ ଏକଜୁଟ କରିଛି। ଏହାର ଜବାବରେ ଆମେ ମଧ୍ୟ କାଉଣ୍ଟର ଡିପ୍ଲୋମାଣ୍ଟ କରିଛୁ।

ବର୍ତ୍ତମାନ ସୀମାରେ ସମ୍ବେଦନଶୀଳ ପରିସ୍ଥିତି ଥିବାରୁ ମୁଁ ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ବେଶି କିଛି କହିବି ନାହିଁ। ତେବେ ଆବଶ୍ୟକ ପଡ଼ିଲେ ଭାରତ ଏହାର କଡ଼ା ଜବାବ ଦେବ। ଦେଶର ହିତ ପାଇଁ ଯେତେ ବଡ଼ ଓ କଢ଼ା ପଦକ୍ଷେପ ହେଉନା କାହିଁକି ଭାରତ ଏଥିରେ ପଛଘୁଞ୍ଚା ଦେବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ଆମେ ଦେଶର ମୁଣ୍ଡ କାହା ଆଗରେ ନଇଁବାକୁ ଦେବୁ ନାହୁଁ, କି ଆମେ କେଉଁ ଦେଶର ମୁଣ୍ଡ ନୁଆଁଇବାକୁ ଚାହୁଁ ନାହୁଁ। ଆମର ଯବାନ ବିଶ୍ୱାସରେ ଭରି ହୋଇ ରହିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।