ଚାଲାଣ ପାଇଁ ବନ୍ଧକ ରଖାଯାଇଥିବା ଶ୍ରମିକଙ୍କ ମୃତ୍ୟୁ

ବଲାଂଗୀର,ଏନ୍ଏନ୍ଏସ୍: ବଲାଂଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସିନଖମନ ଗାଁରେ ଏକ ସାଂଘାତିକ ଘଟଣା ଘଟିଛି । ଦାଦନ ନେବା ପାଇଁ ସର୍ଦ୍ଦାର ବନ୍ଧକ ରଖିଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଶ୍ରମିକ ଜଣଙ୍କର ଭଲ ଭାବରେ ଖାଇବା ପିଇବା ନ ପାଇ ଅସୁସ୍ଥ ହୋଇପଡିଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇନଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

ମୃତ ଶ୍ରମିକଙ୍କ ନା କେନାଲୁ ମଲ୍ଲିକ । ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର କ୍ଷମାନିଧି ନାମକ ସର୍ଦ୍ଦାର ବରଗଡ଼ ବରପାଲି ଅଞ୍ଚଳର କିଛି ଶ୍ରମିକଙ୍କୁ ଆଣି ସିନ୍‌ଗମନ ଗାଁରେ ବନ୍ଧକ ରଖିଥିଲା । ସୁବିଧା ସୁଯୋଗ ଦେଖି ସହଯୋଗୀ ସର୍ଦ୍ଦାର ଲକ୍ଷିନ୍ଦ୍ର କୁମ୍ଭାର ସେମାନଙ୍କୁ ବାହାରକୁ ଚାଲାଣ କରିଥାନ୍ତା । ତେବେ ଖାଇବା ପିଇବା ଅଭାବରୁ ବନ୍ଧକ ଶ୍ରମିକଙ୍କ ମଧ୍ୟରୁ କେନାଲୁ ଅସୁସ୍ଥ ହୋଇପଡିଥିଲେ । ଏହାସତ୍ତ୍ୱେ ସହଯୋଗୀ ସର୍ଦ୍ଦାର ତାଙ୍କୁ ମେଡିକାଲ ନନେଇ ସେଠାରେ ବନ୍ଧକ ରଖିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ବି ମୃତଦେହକୁ ମେଡିକାଲ ନନେଇ ମାମଲାର ରଫାଦଫା ପାଇଁ ସେ ଯୋଜନା ଚଲାଇଥିଲା। ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।