କୁସୁମୀ ଡକାୟତି ଘଟଣାରେ ୭ ଗିରଫ, ଖେଳନା ପିସ୍ତଲ୍ ଓ ଖଣ୍ଡା ଜବତ

କୋଟପାଡ଼,ଏନ୍ଏନ୍ଏସ୍: କୋଟପାଡ ବ୍ଲକ୍ କୁସୁମୀ ଗ୍ରାମରେ ଗତମାସ ୧୬ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କୋଟପାଡ଼ ପୁଲିସକୁ ବଡ଼ ସଫଳତା ମିଳିଛି। କୋଟପାଡ଼ ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ୫ଡକାୟତଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ କୋଟପାଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୫ ଜଣ ଡକାୟତ ହେଲେ ନବରଙ୍ଗପୁର ଜିଲ୍ଲା ବାନିଆ ଗ୍ରାମର ସୁରେଶ ହରିଜନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଝିଲିମିଲି ଗ୍ରାମର ଲୁକୁ ଭୂମିଆ, ଅଭିଷେକ ଗାଏକୱାଡ, ବୋରିଗୁମ୍ମା ମିଲ୍ ସାହିର ଦେବେନ୍ଦ୍ର ବାଘ ଓ କୁସୁମୀ ଗ୍ରାମର ନରେନ୍ଦ୍ର କୁମାର ତିଲଫୁଲ। ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଚୋରୀ ସାମଗ୍ରୀ କିଣିଥିବା ଦାମନଯୋଡି ଥାନା ମାଥାଲପୁଟ୍ ଏସିଏସଆଇଟି କଲୋନିରେ ରହୁଥିବା ସୁନାରୀ ଚିଏଚ୍ ପୁରୁଷୋତ୍ତମ ଆଚାରୀ ଏବଂ କ୍ରେତା-ବିକ୍ରେତାଙ୍କ ମଧ୍ୟରେ ମଧ୍ୟସ୍ତି ସାଜିଥିବା କୋଟପାଡ଼ ଥାନା ଢାମଣାହାଣ୍ଡି ଗ୍ରାମର ସନ୍ତୋଷ କୁମାର ପାଢ଼ୀ।

ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୬ତାରିଖ ରାତିରେ ଗିରଫ ଡକାୟତ ଦଳ କୋଟପାଡ଼ ଥାନା ଅଧୀନ କୁମୁସୀ ଗ୍ରାମର ଶାନ୍ତନୁ କୁମାର ଧଳଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୧ଲକ୍ଷ ୫୦ହଜାର ନଗଦ ଟଙ୍କା ଏବଂ ୪ଟି ମୋବାଇଲ୍ ଫୋନ୍ ନେଇ ଯାଇଥିଲେ। ପରଦିନ ଶ୍ରୀ ଧଳ କୋଟପାଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା(କେସ୍ ନଂ-୧୩୯/୧୭/୦୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୋରିଗୁମ୍ମା ଥାନା ମିଲ୍ ସାହିର ଦେବେନ୍ଦ୍ର ବାଘ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଖବର ପୁଲିସ କୌଣସି ସୂତ୍ରରୁ ଜାଣିପାରି ଦେବେନ୍ଦ୍ରକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ପରବର୍ତି ସମୟରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଢାମଣାହାଣ୍ଡିର ସନ୍ତୋଷ କୁମାର ପାଢ଼ୀଙ୍କ ଜରିଆରେ ଦାମନଯୋଡ଼ିରେ ଚିଏଚ୍ ପୁରୁଷୋତ୍ତମ ଆଚାରିକୁ ଚୋରି ଜିନିଷ ବିକିଥିବା ସେମାନେ ସ୍ୱିକାର କରିଥିଲେ। ପୁଲିସ ସେମାନଙ୍କୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ଡକାୟତ ଦଳ ଠାରୁ ପୁଲିସ ଏକ ଖେଳଣା ପିସ୍ତଲ, ଖଣ୍ଡା ଓ ମୋବାଇଲ ଫୋନ୍ ଜବତ କରିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରା ଯାଇଥିବା ଏସଡିପିଓ ହରେକୃଷ୍ଣ ମାଝୀ ପ୍ରକାଶ କରିଥିଲେ। ସାମ୍ବାଦିକ ସମିଳନୀରେ କୋଟପାଡ଼ ଥାନା ଅଧିକାରୀ ଉଲ୍ଲାସୀ ମାଝୀ, ସବ-ଇନ୍ସପେକ୍ଟର ଡି.ବାତ୍ରିଆ,ଏଏସ୍ଆଇ ନିରୋଦ କୁମାର ବାଘ ଓ ଏମ୍.ରାମୁ ଉପସ୍ଥିତ ଥିଲେ।