ଆନ୍ଧ୍ରକୁ ଚାଲାଣ ହେଉଥିବା ଶିଶୁ ଶ୍ରମିକକୁ ଉଦ୍ଧାର କଲା କୁଡୁମୁଲୁଗୁମ୍ମା ପୁଲିସ ଓ ଶିଶୁ କଲ୍ୟାଣ ବିଭାଗ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ବାଲିମେଳାଠାରୁ ବିଶାଖାପାଟଣା ଯାଉଥିବା ସରକାରୀ ବସରୁ ସୋମବାର ଜଣେ ନାବାଳକ ଶ୍ରମିକକୁ କୁଡୁମୁଲୁଗୁମ୍ମାଠାରେ ଉଦ୍ଧାର କରାଯାଇଛି। କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିଶ୍ ଚନ୍ଦ୍ର ମହାରଣା ଓ ଚାଇଲ୍ଡ ଲାଇନ୍ କର୍ମୀ ପ୍ରମିଳା ପ୍ରଧାନଙ୍କ ମିଳିତ ସହଯୋଗରେ ପିଲାଟିକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ୧୦ଜଣ ଯୁବକ ମିଶି ବିଶାଖାପାଟଣା ଗାଜୁୱାଗା ଅଞ୍ଚଳରେ ଏକ କାଜୁ ମିଲରେ କାମ କରିବାକୁ ଯାଉଥିଲେ । ସେମାନଙ୍କ ମଧ୍ୟରୁ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତର ଗଙ୍ଗଲାଗୁଡ଼ା ଗ୍ରାମର ଜଣେ ୧୪ ବର୍ଷ ବୟସର ବାଳକ ମୁକୁନ୍ଦ ପଡ଼ିଆମୀ ବୋଲି ଜଣାପଡ଼ିଛି। ସିଖପାଲି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ମୁକୁନ୍ଦ ବାପା ମରିଯିବା ପରେ ଘରେ ବିଧବା ମା’ ଓ ଭାଇ ଭଉଣୀଙ୍କୁ ଚଳେଇବାକୁ କେହି ନଥିବାରୁ ସେ ବିଶାଖାପାଟଣାକୁ କାମ କରିବାକୁ ଯାଉଥିବା ପ୍ରକାଶ କରିଛି। ଉକ୍ତ ନାବାଳକକୁ ଉଦ୍ଧାର କରିବା ପରେ ମାଲକାନଗିରି ଜିଲ୍ଲା ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।