କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା:ଆରମ୍ଭ ହେଲା ଏସଆଇଟି ତଦନ୍ତ

କୋରାପୁଟ,ଏନ୍ଏନ୍ଏସ୍: ଦୀର୍ଘଦିନର ବ୍ୟବଧାନ ପରେ ହାଇକୋର୍ଟ ଦ୍ୱାରା ଗଠିତ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ଦ୍ୱାରା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ସୋମବାରଠାରୁ ଆରମ୍ଭ ହୋଇଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସେଫିନ ଅହମ୍ମଦ କେ, ଉତ୍ତରାଞ୍ଚଳ ଡିଆଇଜି ହିଂମାଶୁ କୁମାର ଲାଲ ଓ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ନେଇ ଗଠିତ ତନିଜଣିଆ ଟିମ୍ କୋରାପୁଟ ଏସଡବ୍ଲ୍ୟୁଆର୍ ଡିଆଇଜି ଅଫିସରେ ପୀଡ଼ିତାର ମା’, ଭାଇ ପ୍ରମୁଖଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

ଆମେ ନ୍ୟାୟ ଚାହୁଁଛୁ, ସିବିଆଇ ତଦନ୍ତ କରାଗଲେ ନ୍ୟାୟ ପାଇବୁ ବୋଲି ଆଶା ରହିଥିଲା। ତଥାପି ଏସଆଇଟି ତଦନ୍ତ ଉପରେ ସେମାନଙ୍କର ବିଶ୍ୱାସ ରହିଛି ବୋଲି ପୀଡ଼ିତାର ମା’ ଓ ଭାଇ ଗଣମାଧ୍ୟମକୁ କହିଥିବାବେଳେ ଆମେ ଏସଆଇଟିର ପଦକ୍ଷେପକୁ ଅପେକ୍ଷା କରିଛୁ ବୋଲି ଭାଇ ସୂଚନା ଦେଇଥିଲେ। ନ୍ୟାୟ ପାଇଁ ଲଢ଼େଇ କରି ଝିଅ ଆତ୍ମହତ୍ୟା କଲା ନ୍ୟାୟ ନମିଳିଲେ ମୁଁ ମଧ୍ୟ ସମାନ ପନ୍ଥା ଗ୍ରହଣ କରିବି ବୋଲି ପୀଡ଼ିତାଙ୍କ ମାଆ ପ୍ରକାଶ କରିଥିଲେ।

ସୂଚନା ଥାଉକି, ୨୦୧୭ ଅକ୍ଟୋବର ୧୦ ତାରିଖ ଦିନ ସେମିଲିଗୁଡ଼ା ବ୍ଲକ୍ ସୋରିଷପଦର ପଞ୍ଚାୟତ ମୂଷାଗୁଡ଼ା ଗ୍ରାମର ନାବାଳିକା ଛାତ୍ରୀ କୁନ୍ଦୁଲି ହାଟରୁ ଗାଁକୁ ଫେରୁଥିବାବେଳେ ୪ ଜଣ ପୁଲିସ ପୋଷାକଧାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସେତେବେଳେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ୨୦୧୭ ଡିସେମ୍ବର ୨୬ରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଚାଲୁଥିବାବେଳେ ୨୦୧୮ ଜାନୁଆରୀ ୨୨ ତାରିଖ ଦିନ ପୀଡିତା ନିଜ ଘରେ ଆତ୍ମହତ୍ୟା କରିଥିଲେ।