ହରିଦ୍ୱାର କୁମ୍ଭ: ୨୫୦୦ରୁ ଅଧିକ କରୋନା ପଜିଟିଭ, ମେଳା ଶେଷ ନେଇ ଘୋଷଣା

ହରିଦ୍ୱାର,ଏଜେନ୍ସି: ଉତ୍ତରାଖଣ୍ଡର ହରିଦ୍ୱାରରେ ୧୧ ବର୍ଷ ପରେ ଆୟୋଜିତ କୁମ୍ଭମେଳା-୨୦୨୧ରେ କରୋନା ଭାଇରସ ମହାମାରୀ ପ୍ରଭାବ ପକାଇଛି। ଏହାରି ମଧ୍ୟରେ ଅନେକ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ନିରଞ୍ଜନୀ ଆଖଡା ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ କୁମ୍ଭମେଳା ଶେଷ କରିବାକୁ ଘୋଷଣା କରାଯାଇଛି। ଆଖଡା ତରଫରୁ କୁହାଯାଇଛି ଯେ, ଅନେକ ସାଧୁ-ସନ୍ଥଙ୍କ ଦେହରେ କରୋନା ଲକ୍ଷଣ ଦେଖାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ନିରଞ୍ଜନ ଆଖଡାର ସଚିବ ରବୀନ୍ଦ୍ର ପୁରୀ କହିଛନ୍ତି ଯେ, କରୋନା କାରଣରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆମ ପାଇଁ କୁମ୍ଭମେଳା ଶେଷ ହୋଇଛି। ମୁଖ୍ୟ ଶାହୀ ସ୍ନାନ ଶେଷ ହୋଇଯାଇଛି ଏବଂ ଆଖଡାରେ ଏବେ ଅନେକ ଲୋକ କରୋନା ଲକ୍ଷଣ ଥିବା ଦେଖାଯାଉଛନ୍ତି। ସୂଚନାଯୋଗ୍ୟ ଯେ, କୁମ୍ଭମେଳା ୧୪ ଦିନ ଅତିକ୍ରମ କରିସାରିଛି। ଏହାରି ମଧ୍ୟରେ ୨୫୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ ମାର୍ଚ୍ଚ ୧ରୁ ୩୧ ମଧ୍ୟରେ କରୋନା ହରିଦ୍ୱାରରେ ହାରାହାରି ସଂକ୍ରମଣ ୧୦ରୁ ୨୦ ଥିଲା। କିନ୍ତୁ ଏପ୍ରିଲରେ ଏହା ଦୈନିକ ୫୦୦ ଅତିକ୍ରମ କରିଛି। ଶତାଧିକ ସାଧୁ-ସନ୍ଥ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।