ଆଜି ହେବ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ମାମଲାର ଆଜି ଶୁଣାଣି କରାଯିବ। ଏନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦାଖଲ ଏକ ପିଟିସନର ଶୁଣାଣି କରିବେ ଇସଲାମାବାଦ ହାଇକୋର୍ଟ। ପାକିସ୍ତାନ ସାମରିକ କୋର୍ଟ ଦ୍ୱାରା କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡର ତଦନ୍ତ ବିରୋଧରେ ଏକ ସମୀକ୍ଷା ଦାଖଲ କରିବାକୁ ଅନୁମିତ ଦିଆଯାଇଛି।

ସୂଚନା ଅନୁସାରେ ଗତ କିଛିଦିନ ତଳେ କୁଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତ କରିବାକୁ ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟଙ୍କ ଅନୁମତି ଲୋଡିବା ସମ୍ପର୍କିତ ରିପୋର୍ଟ ଉପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ କୁଳଭୂଷଣଙ୍କ କ୍ଷେତ୍ରରେ ପାକିସ୍ତାନର ଆଭିମୁଖ୍ୟ ଏକ ନାଟକ। ଏହି ପ୍ରସଙ୍ଗରେ ଭାରତର ପାକିସ୍ତାନୀ ଓକିଲ ସୂଚନା ଦେଇଛନ୍ତି ଯେ ପାୱାର ଅଫ ଆଟର୍ଣ୍ଣି ବିନା ମୃତ୍ୟୁ ଦଣ୍ଡାଦେଶ ଉପରେ ସମୀକ୍ଷା ଆବେଦନ କରାଯାଇପାରିବ ନାହିଁ। ଏହା ସହିତ ସମୀକ୍ଷା ଆବେଦନ ପାଇଁ ଆବଶ୍ୟକ କାଗଜପତ୍ରର ଦରକାର ରହିଛି। ତେଣୁ ନୂଆ ଉପାୟ ବାହାର କରିବାକୁ ପ୍ରୟାସ ଜାରି ରହିଛି ବୋଲି କହିଥିଲେ।

ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ପାକିସ୍ତାନ ସୈନ୍ୟ ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ବନ୍ଦୀ କରି ରଖିବା ସହିତ ପାକିସ୍ତାନ ସାମରିକ ଅଦାଲତରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରସଙ୍ଗରେ ଭାରତ ସରକାର ଆନ୍ତର୍ଜାତିକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।