କୁଚିଣ୍ଡା,ଏନ୍ଏନ୍ଏସ୍: ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଚିଣ୍ଡା ଗସ୍ତ ବେଳେ ବିରୋଧୀଙ୍କ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କଂଗ୍ରେସ ଓ ବିଜେପି କର୍ମୀମାନେ ପ୍ରତିବାଦ କରୁଥିଲେ। ଏହି ସମୟରେ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଯୁବ କଂଗ୍ରେସ ନେତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାର ପ୍ରତିବାଦରେ ପୃଥକ ପୃଥକ ଭାବେ ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ବନ୍ଦ ଡାକରା ପାଇଁ କୁଚିଣ୍ଡାରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ବିଭିନ୍ନ ଛକଠାରେ ରାସ୍ତା ଅବରୋଧ କରାଯାଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି। ସେପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି।