ବଲାଙ୍ଗିର,ଏନ୍ଏନ୍ଏସ୍ : ସ୍ଥାନୀୟ ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ଠାରେ ଶୁକ୍ରବାର ଠାରୁ ୧୯ ବର୍ଷରୁ କମ କୁଚ ବିହାର ଟ୍ରଫି କ୍ରିକେଟ ଖେଳ ଆରମ୍ଭ ହୋଇଛି । କେବଳ ଟସ ଜିଣିବା ବ୍ୟତୀତ ଓଡିଶା ଖେଳାଳୀମାନେ ଏହି ମ୍ୟାଚରେ କୌଣସି ପ୍ରକାର କମାଲ ପରିପାରି ନାହିଁନ୍ତି । ଆଜି ସକାଳେ ଓଡିଶା ଦଳର ଅଧିନାୟକ ଅନୀଲ ପରିଡା ଟସ ଜିତି ବ୍ୟାଟିଂ କରିବା ପାଇ ନିଷ୍ପତି ନେଇଥିଲେ । କିନ୍ତୁ ବରୋଦା ଦଳର ଅଗ୍ନୀବର୍ଷି ବୋଲିଂ ଆଗରେ ଓଡିଶାର ଖେଳାଳୀ ମାନେ ପିଚରେ ଛିଡା ହୋଇ ପାରିନଥିଲେ । ଇନିଂସ ଆରମ୍ଭରୁ ଗୋଟାଏ ପରେ ଗୋଟାଏ ୱିକେଟ ପତନ ହେବାରେ ଲାଗିଥିଲା ।
ବ୍ୟାଟିଂ ବିପର୍ଯ୍ୟାୟ ଯୋଗୁଁ ଓଡିଶା ଦଳ ମାତ୍ର ୧୦୯ ରନରେ ସମସ୍ତ ୱିକେଟ ହରାଇ ଅଲଆଉଟ ହୋଇ ଯାଇଥିଲେ। ଓଡିଶା ତରଫରୁ ମାନସ ରଞ୍ଜନ ନାଏକ ୩୦ ରନ କରିଥିବା ବେଳେ ରାକେଶ ବିଶ୍ୱାଲ ୨୧ ରନ କରିଥିଲେ । ବରୋଦା ତରଫରୁ ଆଶୁତୋଷ ଦାସ ଘାତକ ବୋଲିଂ କରି ୫ ୱିକେଟ ଅକ୍ତିଆର କରିଥିବା ବେଳେ ଅର୍ଚ୍ଚନ କୋଠାରୀ ୩ ଟି ୱିକେଟ ନେଇଥିଲେ । ଜବାବରେ ବରୋଦା ଦଳ ପାଳି ଆରମ୍ଭ କରି ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୫୪ ରନ କରିଛନ୍ତି । ଖେଳ ଶେଷ ସୁଦ୍ଧା ଅଂଶ ପଟେଲ ୨୧ ଓ ଅଥର୍ବ କୁଲକର ୨୩ ରନ କରି ଅପରାଜିତ ରହିଥିବା ବେଳେ ଧୈର୍ଯ୍ୟ ଆର ପାଣ୍ଡେ ୫୧ ଓ ଲକ୍ଷଜିତ ପଢିଆରୀ ୪୯ ରନ କରି ଆଉଟ ହୋଇଥିଲେ ।
ଓଡିଶା ତରଫରୁ ଅଙ୍କିତକର ଜୟସ୍ୱାଲ ଓ ସନ୍ଦୀପ ଚୌହାନ ଗୋଟାଏ ଲେଖାଏଁ ୱିକେଟ ନେଇଛନ୍ତି । ଆମ୍ପାୟାର ଭାବେ ଖେଳକୁ ସନ୍ଦୀପ ସରକାର ଓ ସବ୍ୟସାଚୀ ଚାଟାର୍ଯ୍ୟ ପରିଚାଳନା କରିଥିବାବେଳେ ସ୍କୋରର ଦାୟିତ୍ୱରେ ସିଡି ସୁନୀଲ ଓ ଭିଡିଓଗ୍ରାଫି ଦାୟିତ୍ୱରେ ତାପସ ନାୟକ ରହିଥିଲେ । ଓସିଏର ସ୍ୱୀକୃତପ୍ରାପ୍ତ ଆମ୍ପାୟାର ପୃଥ୍ୱୀରାଜ ମିଶ୍ରଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଥୋମାସ ମାଥ୍ୟୁସ ମ୍ୟାଚ ପରିଚାଳନା ଦାୟିତ୍ୱରେ ରହିଛନ୍ତି । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜି ସକାଳେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ।
ବଲାଙ୍ଗୀର ଏସପି ଏମ.ସନ୍ଦୀପ ସମ୍ପତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳ ସମ୍ମାନିତ ଅତିଥିଭାବେ ଓଡିଶା କ୍ରିକେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ମେହେତାବ ଖାନ , ନୂଆପଡା ଜିଲ୍ଳା କ୍ରୀଡାସଂସଦର ସାଧାରଣ ସମ୍ପାଦକ ଭୈରବ ସାହୁ ଓ ବରଗଡ ଜିଲ୍ଲା କ୍ରିକେଟ ସମ୍ପାଦକ ରବିନାରାୟଣ ପଣ୍ଡା ଯୋଗଦେଇ ଖେଳାଳୀଙ୍କ ସହ କରମର୍ଦ୍ଦନ କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କ୍ରୀଡାସଂସଦର ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଓ କ୍ରିକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।