ହାର୍ଦ୍ଦିକଙ୍କଠାରୁ ଡେବ୍ୟୁ କ୍ୟାପ୍ ଗ୍ରହଣ କରି କୃଣାଲ ଭାବବିହ୍ୱଳ

ପୁଣେ,ଏଜେନ୍ସି: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆର ସିରିଜର ପ୍ରଥମ ମ୍ୟାଚରେ ଭାରତ ପକ୍ଷରୁ ଦୁଇଜଣ ଖେଳାଳି କୃଣାଳ ପାଣ୍ଡ୍ୟା ଓ ପ୍ରସଦ୍ଧ କ୍ରିଷ୍ଣା ଡେବ୍ୟୁ କରିଛନ୍ତି। କୃଣାଳଙ୍କୁ ଡେବ୍ୟୁ କ୍ୟାପ୍ ତାଙ୍କ ଛୋଟଭାଇ ହାର୍ଦ୍ଦିକ ପ୍ରଦାନ କରିଥିଲେ। ଏହାର କିଛି ସମୟ ପରେ କୃଣାଳ ଭାବବିହ୍ୱଳ ହୋଇପଡ଼ିଥିଲେ। ପରେ ହାର୍ଦ୍ଦିକ ତାଙ୍କୁ ଆଲିଙ୍ଗନ କରିଥିଲେ। ଭାରତ ପକ୍ଷରୁ ଗୋଟିଏ ଦିନିକିଆ ମ୍ୟାଚରେ ଏକାଠି ଦୁଇଭାଇ ଖେଳିବାରେ କୃଣାଳ ଓ ହାର୍ଦ୍ଦିକ ୩ୟ ଯୋଡ଼ିର ଗୌରବ ଅର୍ଜନ କରିଛନ୍ତି।

ଏହା ପୂର୍ବରୁ ମହିନ୍ଦର ଓ ସୁରିନ୍ଦର ଅମରନାଥ ଏବଂ ଇର୍ଫାନ୍ ଓ ୟୁସୁଫ୍ ପଠାନ୍ ଏକାଠି ଭାରତ ପକ୍ଷରୁ ଦିନିକିଆ ମ୍ୟାଚ୍ ଖେଳିଥିଲେ। ପୂର୍ବରୁ ହାର୍ଦ୍ଦିକ ଓ କୃଣାଳ ଟି-୨୦ ମ୍ୟାଚରେ ଏକାଠି ଖେଳିସାରିଛନ୍ତି।
ଭାରତ ପକ୍ଷରୁ ଦିନିକିଆରେ ଏକାଠି ଖେଳିଥିବା ଭାଇଙ୍କ ୩ ଯୋଡ଼ି ମଧ୍ୟରେ ଛୋଟ ଭାଇ ପ୍ରଥମେ ଡେବ୍ୟୁ କରିଥିଲେ। ମହିନ୍ଦର ଅମରନାଥ ୧୯୭୫ରେ ଡେବ୍ୟୁ କରିଥିବା ବେଳେ ତାଙ୍କଠାରୁ ୨ ବର୍ଷ ବଡ଼ ସୁରିନ୍ଦର ୧୯୭୮ରେ ଭାରତ ପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ପଠାନ୍ ଭ୍ରାତାଙ୍କ ମଧ୍ୟରୁ ଛୋଟଭାଇ ଇର୍ଫାନ୍ ୨୦୦୪ରେ ପ୍ରଥମ ଦିନିକିଆ ଖେଳିଥିବା ବେଳେ ୟୁସୁଫ୍ ୨୦୦୮ରେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ସେହିପରି ହାର୍ଦ୍ଦିକ ୨୦୧୬ରେ ଦିନିକିଆରେ ପଦାର୍ପଣ କରିଥିବା ବେଳେ କୃଣାଲଙ୍କୁ ୨୦୨୧ରେ ଏହି ସୁଯୋଗ ମିଳିଛି। ହାର୍ଦ୍ଦିକ ଫାଷ୍ଟ ବୋଲିଂ ଅଲରାଉଣ୍ଡର୍ ହୋଇଥିବା ବେଳେ କୃଣାଳ ସ୍ପିନ୍ ବୋଲିଂ ଅଲରାଉଣ୍ଡର୍।