ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ ହେଲେ କେପି ଶର୍ମା ଓଲି

କାଠମାଣ୍ଡୁ,ଏଜେନ୍ସି: ନୂଆ ସରକାର ଗଠନ କରିବା ନିମନ୍ତେ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଆସନ ଏକଜୁଟ କରିବାରେ ବିରୋଧୀ ଦଳମାନେ ବିଫଳ ହେବାରୁ କେପି ଶର୍ମା ଓଲିଙ୍କୁ ଗୁରୁବାର ଦିନ ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରାଯାଇଛି। ‘ସିପିଏନ୍‌-ୟୁଏମ୍‌ଏଲ୍‌’ର ଅଧ୍ୟକ୍ଷ ୬୯ ବର୍ଷୀୟ ଓଲିଙ୍କୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପ୍ରଧାନମନ୍ତ୍ରୀ ‌ଭାବେ ପୁନଃନିଯୁକ୍ତି ଦେଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରେସ୍‌ ବିବୃତିରେ କହିଛି ଯେ, ନେପାଳ ସମ୍ବିଧାନର ଧାରା ୭୮(୩) ଅନୁସାରେ, ହାଉସ୍‌ ଅଫ୍ ରିପ୍ରେଜେଣ୍ଟେଟିଭରେ ସର୍ବବୃହତ୍ ରାଜନୈତିକ ଦଳର ନେତା ହୋଇଥିବାରୁ ଓଲିଙ୍କୁ ରାଷ୍ଟ୍ରପତି ଭଣ୍ଡାରୀ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରିଛନ୍ତି। ଆଜି ଶୀତଳ ନିବାସରେ ଆୟୋଜନ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ଭଣ୍ଡାରୀ ଓଲିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ସୋମବାର ଦିନ ଗୃହରେ ଓଲି ଅନାସ୍ଥା ପ୍ରସ୍ତାବରେ ପରାଜିତ ହେବାରୁ ନୂଆ ସରକାର ଗଠନ ନିମନ୍ତେ ଗୁରୁବାର ରାତି ୯ଟା ସୁଦ୍ଧା ସଂଖ୍ୟାଗରିଷ୍ଠ ହେବା ଭଳି ସାଂସଦଙ୍କୁ ଏକଜୁଟ କରିବା ପାଇଁ ରାଷ୍ଟ୍ରପତି ବିରୋଧୀ ଦଳମାନଙ୍କୁ କହିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦାବି କରି ପାରି ନଥିଲେ।