ଭାରତରେ କୋରୋନା ଭାଇରସ୍‌ ରୋଗୀ ଚିହ୍ନଟ

ଦୁବାଇ,ଏଜେନ୍ସି: ସାଉଦି ଆରବ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଭାରତୀୟ ନର୍ସ ମାରାତ୍ମକ କୋରୋନା ଭାଇରସ୍‌ରେ  ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୩୦ ଜଣ ଭାରତୀୟ ନର୍ସଙ୍କୁ ଅଲଗା ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନିରୀକ୍ଷଣ କରାଯାଉଛି। ସଂକ୍ରମିତ ନର୍ସ ଓ ଡାକ୍ତରଖାନା ତତ୍ତ୍ୱାବଧାନରେ ଥିବା ୩୦ ନର୍ସଙ୍କ ଘର ଭାରତର କେରଳ ରାଜ୍ୟରେ। ଏହି ନର୍ସମାନେ ସାଉଦିସ୍ଥିତ ଆସିର୍ ଆଭା ଅଲ୍– ହାୟାତ୍ ନ୍ୟାସନାଲ୍ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ସଂକ୍ରମିତ ନର୍ସ ଜଣକ ଫୋନ୍‌ରେ ଘର ଲୋକଙ୍କୁ ଏହି ବିଷୟ ଜଣାଉଥିବା ଅବସରରେ ଅନ୍ୟମାନେ ତାହା ଶୁଣି ପ୍ରଘଟ କରି ଦେଇଥିଲେ।

ଭାରତୀୟ ନର୍ସ ଜନୈକ ଫିଲିପାଇନ୍ସ ମହିଳାଙ୍କ ସଂସ୍ପର୍ଶରେ ଆସି କୋରୋନା ଭାଇରସ୍‌ରେ ପୀଡ଼ିତ ହୋଇଥିଲେ। ଜନୈକ ନର୍ସ ଏକ ମାଲୟଲମ ଚାନେଲକୁ ଫୋନ୍‌ରେ କହିଛନ୍ତି ଯେ ସେମାନଙ୍କୁ ହସ୍ପିଟାଲରେ ଦୁଇଟି ରୁମ୍‌ରେପୃଥକ୍‌ ପୃଥକ ବସି ରହିବାକୁ କୁହାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଏହି ବିଷୟରେ କେନ୍ଦ୍ର ବୈଦେଶିକମନ୍ତ୍ରଣାଳୟକୁ ଚିଠି ଲେଖି ସାଉଦି ଆରବରେ କାର୍ଯ୍ୟରତ ଭାରତୀୟ ନର୍ସଙ୍କ ପ୍ରତି ସଦୟ ଦୃଷ୍ଟି ରଖିବାକୁ ଅନୁରୋଧ କରିଛନ୍ତି। ଭାରତ ସରକାର ଜେଦାହସ୍ଥିତ ଭାରତୀୟ ଦୂତାବାସ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଭାରତୀୟ ଦୂତାବାସ ସାଉଦି ସରକାର ଓ ଅଲ୍ହାୟାତ୍ ହସ୍ପିଟାଲ ସହ ସମ୍ପର୍କ ରକ୍ଷା କରିଛନ୍ତି ବୋଲି ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କେ ମୁରଲୀଧରଙ୍କ ଟ୍ୱିଟ୍‌ର ସୂତ୍ରରୁ  ପ୍ରକାଶ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶ୍ୟାଲାଜାଙ୍କ ସୂଚନାନୁଯାୟୀ କେରଳର ଥିରୁବନନ୍ତପୁରମ, କୋଚି, କୁଝିକୁଡ଼େ ଓ କନ୍ନୁରବିମାନ ବନ୍ଦରରେ ଚୀନ୍‌ରୁ ଆସୁଥିବା ପର୍ଯ୍ୟଟକ ଅବା ଭାରତୀୟ ପରିବାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁହାନ୍ ମାଂସ ମାର୍କେଟ୍‌ରୁ ପ୍ରଥମ କୋରୋନା ଭାଇରସ୍ ରୋଗୀଙ୍କୁ ଠାବ କରାଯାଇଥିଲା। ଚୀନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ ସାପଠାରୁ ଏହି ଭାଇରସ୍ ମଣିଷ ଶରୀରକୁ ସଂକ୍ରମିତ ହୋଇଛି। ଏହି ଭାଇରସ୍‌ ପ୍ରଭାବରେ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ରୋଗୀଙ୍କ ପ୍ରବଳ ଜ୍ୱର ଓ ଦେହ ହାତ ବିନ୍ଧା ହୋଇଥାଏ। ପ୍ରବଳ ଜ୍ୱର ଓ ଥଣ୍ଡା ପରିବେଶରେ ଏହି ଭାଇରସ୍‌ ଚିହ୍ନଟ ପ୍ରକ୍ରିୟା କଷ୍ଟସାଧ୍ୟ।