କୋରାପୁଟରେ ପହଂଚିଲା ସ୍ୱତନ୍ତ୍ର ଟ୍ରେନ୍; ଆସିଲେ ୮୪,କୋରାପୁଟରୁ ଯିବେ ୧୧୭ ଯାତ୍ରୀ

କୋରାପୁଟ,ଏନ୍ଏନ୍ଏସ୍: ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଗତ ମାର୍ଚ୍ଚ ୨୬ରୁ ରେଳ ଚଳାଚଳ ବନ୍ଦ ରହିଥିଲା। ଜୁନ୍ ୮ରୁ କିଛି ଯାତ୍ରୀବାହୀ ଟ୍ରେନ୍ ଚଳାଇବା ନିମନ୍ତେ ଭାରତ ସରକାର ନିଷ୍ପତି ନେବା ଯୋଗୁଁ ଦୀର୍ଘ ୭୫ ଦିନର ବ୍ୟବଧାନ ପରେ ଭୂବନେଶ୍ୱରରୁ ସମ୍ବଲପୁର ଦେଇ ଆସିଥିବା ସ୍ପେସିଆଲ୍ ଏକ୍ସପ୍ରେସ୍ ଟ୍ରେନ୍ ଆଜି କୋରାପୁଟରେ ପହଂଚିଛି। ଟ୍ରେନଟି ପୂର୍ବାହ୍ଣ ୧୧ଟାରେ ପହଂଚିବାର ଥିଲେ ମଧ୍ୟ ପ୍ରାୟ ଏକଘଂଟା ବିଳମ୍ବରେ କୋରାପୁଟ ଷ୍ଟେସନରେ ପହଂଚିଥିଲା। ଟ୍ରେନର ଶୀତତାପନିୟନ୍ତ୍ରୀତ କୋଚରେ ୧୫ ଓ ସ୍ଲିପର୍ କୋଚରେ ୬୯ ମୋଟ ୮୪ଜଣ ଯାତ୍ରୀ କୋରାପୁଟକୁ ଆସିଥିଲେ। ଟ୍ରେନ୍ ପହଂଚିବା ପୂର୍ବରୁ କୋରାପୁଟ ରେଳ ଷ୍ଟେସନରେ ପୁଲିସ୍ ଟିମ୍ ପହଂଚି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବାବେଳେ ଅଗ୍ନିଶମ ବିଭାଗ ତରଫରୁ ଷ୍ଟେସନରେ ବିଶୋଧନ ସ୍ପ୍ରେ କରା ଯାଇଥିଲା।

ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ,ଏସଡିପିଓ ବଳଭଦ୍ର ଦୀପ,ଥାନା ଅଧିକାରୀ ପୀତବାସ ଧାରୁଆ,ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଷ୍ଟେସନ୍ ମେନେଜର ନରେନ୍ଦ୍ର କୁମାର ଭିତିରିଆ,ଆରଟିଓ ପ୍ରସନ୍ନ କୁମାର ଦାଶ ଓ ଡିଆଇପିାରଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଉପସ୍ଥିତ ଥିଲେ। ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନ୍ ପ୍ରବେଶ ଦ୍ୱାର ନିକଟରେ ସମସ୍ତ ଯାତ୍ରୀମାନଙ୍କୁ ଡାକ୍ତରୀ ଟିମ୍ ଦ୍ୱାରା ସ୍କ୍ରୀନିଂ କରା ଯାଇଥିବାବେଳେ ସମସ୍ତଙ୍କର ଟେମ୍ପେରେଚର୍ ନର୍ମାଲ୍ ଥିବା ଓ କୌଣସି ଲକ୍ଷଣ ନଥିବାରୁ ସେମାନଙ୍କୁ ନିଜ ଘରକୁ ଯିବାକୁ ଛାଡି ଦିଆ ଯାଇଥିଲା।

ଅନ୍ୟ ପକ୍ଷରେ କୋରାପୁଟରୁ ସମ୍ବଲପୁର ଦେଇ ଭୂବନେଶ୍ୱର ଯିବାକୁ ଥିବା ଆଜିର ଟ୍ରେନରେ କୋରାପୁଟରୁ ୧୧୭ଜଣ ଓ ଦାମନଯୋଡି,କାକିରିଗୁମ୍ମା ଏବଂ ଲକ୍ଷ୍ମୀପୁର ଷ୍ଟେସନରୁ ମଧ୍ୟ କିଛି ଯାତ୍ରୀ ଯିବେ ବୋଲି ଷ୍ଟେସନ୍ ମ୍ୟାନଜର ନରେନ୍ଦ୍ର କୁମାର ଭିତିରିଆ ସୂଚନା ଦେଇଛନ୍ତି। ସମସ୍ତ ଯାତ୍ରୀ ମାନଙ୍କର ସ୍କ୍ରୀନିଂ କରାଯିବା ପରେ ଟ୍ରେନରେ ଚଢିବାକୁ ଅନୁମତି ଦିଆ ଯିବ ବୋଲି ଷ୍ଟେସନ୍ ମ୍ୟାନଜର ସୂଚନା ଦେବା ସହ ଟ୍ରେନ୍ ଛାଡିବା ପରେ ଷ୍ଟେସନକୁ ବିଶୋଧନ କରା ଯିବ ବୋଲି କହିଛନ୍ତି।