ଥାନା ଘେରିଲା କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ

କୋରାପୁଟ,ଏନ୍ଏନ୍ଏସ୍ :  ଭତ୍ତା ପ୍ରଦାନରେ ଅନିୟମିତତା, ପ୍ରଭାବିତ ଅଞ୍ଚଳର ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ତଥା ଅନ୍ୟାନ୍ୟ ଦାବି ନେଇ କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ଗୁରୁବାର ଠାରୁ ଲକ୍ଷ୍ମୀପୁର ଥାନା ଘେରାଉ କରି ରଖିଛନ୍ତି। ରାତି ତମାମ୍ ଆନ୍ଦୋଳନକାରୀ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ଧାରଣାସ୍ଥଳରେ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି ।

କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚର ଅଭିଯୋଗ ଅନୂଯାୟୀ, ଓଏମସି କୋଡ଼ିଙ୍ଗାମାଳି ଖଣିରୁ କଞ୍ଚାମାଲ୍ ରତ୍ପାନୀ କରୁଥିଲେ ମଧ୍ୟ ଚୁକ୍ତି ମୁତାବକ ଓଡ଼ିଶା ଖଣି ନିଗମ ପ୍ରଭାବିତ ଲୋକଙ୍କୁ ଠିକ୍ ଭାବେ ଭତ୍ତା ଦିଆଯାଉନଥିବା କିମ୍ବା ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇନଥିବାରୁ ସେମାନେ ଆନ୍ଦୋଳନ କରୁଛନ୍ତି। ଉପରୋକ୍ତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲାପ୍ରଶାସନ ଓ ପୁଲିସକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଙ୍ଗଠନର ସଦସ୍ୟ ଅଭିଯୋଗ କରିଛନ୍ତି। ଧାରଣାର ପ୍ରାୟ ୨୪ଘଣ୍ଟା ପରେ ମଧ୍ୟ କୌଣସି ପ୍ରଶାସନିକ କିମ୍ବା ପୁଲିସ୍ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଆସିନଥିବା ଆନ୍ଦୋଳନକାରୀ କହିଛନ୍ତି।

ଫଳରେ ଆନ୍ଦୋଳନକାରୀମାନେ ଥାନା ବାହାରେ ଏକତ୍ରିତ ହୋଇ ଧାରଣା ଦେଇଥିଲେ। ସେମାଙ୍କୁ ବୁଝାସୁଝା କରାଯାଇଛି ବୋଲି ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆନ୍ଦୋଳନକାରୀ ଗ୍ରାମବାସୀ ଥାନା ସମ୍ମୁଖରୁ ଧାରଣା ହଟାଇ ଲକ୍ଷ୍ମୀପୁର ଠାରୁ କୋଡ଼ିଙ୍ଗାମାଳି ଖଣିକୁ ଯାଇଥିବା ରାସ୍ତା ଅବରୋଧ କରି ଶୁକ୍ରବାର ବସି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କୋଡ଼ିଙ୍ଗାମାଳି ଖଣିଖନନ ଦ୍ୱାରା ସ୍ଥାନୀୟ ୨୨ଟି ଗ୍ରାମରେ ସାମାଜିକ, ଆର୍ôଥକ ବିକାଶ ହୋଇଥିବା ବେଳେ କେତେକ ବ୍ୟକ୍ତି ସ୍ଥାନୀୟ ବାସିନ୍ଦାଙ୍କୁ ମିଥ୍ୟା ତଥ୍ୟ ଦେଇ ଖଣି ଖନନକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା ସପକ୍ଷବାଦୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଓଏମସି ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଭତ୍ତା ପ୍ରଦାନ କରୁଥିବାବେଳେ ପ୍ରଭାବିତ ଗ୍ରାମର ଲୋକଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।