କୋଭିଡ୍ ସଂକ୍ରମଣ ରୋକିବାକୁ ୯ଦିନ ବନ୍ଦ ରହିବ ହାଲ୍

କୋରାପୁଟ,ଏନ୍ଏନ୍ଏସ୍: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୪ଦିନିଆ ଲକଡାଉନ୍ ଘୋଷଣା କରିଥିବାବେଳେ ଅନୁରୂପ ପଦକ୍ଷେପ ଗ୍ରହଣ କରି ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ୍ ଏରୋନେଟିକସ୍ ଲିମିଟେଡ୍ (ହାଲ୍) କର୍ତ୍ତୃପକ୍ଷ ୯ଦିନ ପାଇଁ କମ୍ପାନୀ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି। କରୋନାର ସଂକ୍ରମଣ ରୋକିବା ପାଇଁ ମେ ୧୫ରୁ ୨୩ ଯାଏ ଫ୍ୟାକ୍ଟରୀ ସମ୍ପୂର୍ଣ ବନ୍ଦ ରହିବ ବୋଲି ହାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ସମୟ ମଧ୍ୟରେ ହାଲ୍ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ବିଭାଗ, ଜଳ ଯୋଗାଣ, ବିଦ୍ୟୁତ୍ ସେବା, ପରିମଳ ବିଭାଗ କାର୍ଯ୍ୟ ସ୍ୱାଭାବିକ ଚାଲିବ ବୋଲି କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିବାବେଳେ ଉପରୋକ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ଠିକା ଶ୍ରମିକ ଓ ଅନ୍ୟମାନେ ନିୟମିତ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ମେ ୨୪ରୁ ହାଲ୍ କର୍ମଚାରୀ ଦୈନିକ ପ୍ରତି ସିପ୍ଟରେ ସାଢେ ତିନିଘଣ୍ଟା ଓଭର୍ ଟାଇମ୍ କରିବା ସହ ଜୁଲାଇ ମାସରେ ଅତିରିକ୍ତ କାମ କରି ଛୁଟି ଏଡଜଷ୍ଟ କରିବାକୁ କର୍ମର୍ଚାରୀମାନଙ୍କୁ କୁହା ଯାଇଥିବାବେଳେ ମେ ୧୬ରେ ଥିବା ଡ୍ୟୁଟି ଡେ ଡିସେମ୍ବର ୨୬ ରେ ପାଳନ କରା ଯିବାକୁ ନିଷ୍ପତି ନିଆଯାଇଛି।