ଛଟେଇ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଧାରଣା

କୋରାପୁଟ,ଏନ୍ଏନ୍ଏସ୍: କୋଭିଡ୍ ମୁକାବିଲା ନିମନ୍ତେ ନିଯୁକ୍ତି ପାଇ ୯ ମାସ ପରେ ଛଟେଇ ହୋଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ମହାମାରୀ କରୋନାର ପ୍ରକୋପ ବେଳେ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ୨୦୨୦ ଏପ୍ରିଲ୍ ୧୬ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୫ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଜିଲ୍ଲା ପ୍ରଶାସନ ଅସ୍ଥାୟୀ ନିଯୁକ୍ତି ଦେଇଥିଲା। ୯ ମାସ କାମ କରିବାପରେ ୨୦୨୦ ଡିସେମ୍ବରରେ ଅଚାନକ ସମସ୍ତଙ୍କୁ ଛଟେଇ କରି ଦିଆଯାଇଥିଲା। ତେବେ ବିଭିନ୍ନ ମହଲରୁ ଦାବି ହେବାପରେ ରାଜ୍ୟ ସରକାର କାର୍ଯ୍ୟଦକ୍ଷତା ଅଧାରରେ ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରୁ ଚୟନକରି ପୁନଃ ନିଯୁକ୍ତି କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଦକ୍ଷତା ତଥା ମେଧା ତାଲିକାକୁ ଅଣଦେଖା କରି ନିଜ ମନମାନିରେ ୫୫ଜଣଙ୍କ ଭିତରୁ ୩୪ଜଣକୁ ପୁନଃ ନିଯୁକ୍ତି ଦେଇଥିବାବେଳେ ୨୧ଜଣଙ୍କୁ ପୁନଃ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିଥିବା କୋଭିଡ୍-୧୯ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ସଭାନେତ୍ରୀ ଛବିତା ରାଣୀ ପ୍ରଧାନ, କଳ୍ପନା ମୁଠାଇ, ରୂତଚେଟ୍ଟୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ପୁନଃ ନିଯୁକ୍ତିରୁ ବଞ୍ଚିତ ୨୧ଜଣକୁ ନିଯୁକ୍ତି ଦିଅନ୍ତୁ ନଚେତ୍ ପୁନଃ ନିଯୁକ୍ତି ପାଇଥିବା ୩୪ଜଣକୁ ବାହାର କରନ୍ତୁ ବୋଲି ଧାରଣା ଦେଇଛନ୍ତି।