କୋରାପୁଟ,ଏନ୍ଏନ୍ଏସ୍: ଧୀରେଧୀରେ ଆନ୍ଧ୍ରପ୍ରଦେଶ କବ୍ଚାରେ ଗଲାଣି ଓଡ଼ିଶାର ସୀମାନ୍ତ ଗ୍ରାମ କୋଟିଆ। ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଏହି କୋଟିଆକୁ ଆନ୍ଧ୍ର ପ୍ରଦେଶ ହାତେଇବା ନିମନ୍ତେ ବାରମ୍ବାର ଉଦ୍ୟମ କରିଆସୁଥିବା ବେଳେ ଏବେ କୋଟିଆ ଅଞ୍ଚଳବାସୀଙ୍କୁ ନିଜ ଆଡ଼କୁ ନେବା ପାଇଁ ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ଅପରପକ୍ଷେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନ କୋଟିଆରେ ଅନୁପ୍ରବେଶ କରି ବିଭିନ୍ନ ସୁବିଧା ସୁଯୋଗ ଦେବା ଓ ଜନକଲ୍ୟାଣକାରୀ ଯୋଜନାରେ ସାମିଲ୍ କରିବାରୁ ଓଡ଼ିଶା ସରକାର ମଧ୍ୟ କୋଟିଆ ପାଇଁ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ। ତେବେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ଯୋଜନା ଗୁଡ଼ିକ ମାତ୍ର କିଛି ମାସ ପରେ ଶିଥିଳ ହୋଇପଡ଼ିବାରୁ ଏହାର ଫାଇଦା ଉଠାଉଛି ଆନ୍ଧ୍ର ପ୍ରଶାସନ।
କୋଟିଆବାସୀଙ୍କୁ ଯାତାୟତ ସୁବିଧା ଦେବାକୁ ଜିଲ୍ଲା ପ୍ରଶାସନ କୋଟିଆରୁ ଜୟପୁରକୁ ସରକାରୀ ବସ୍ ସେବା କରିଥିଲେ। ମାତ୍ର କିଛି ମାସ ଚାଲିବା ପରେ ତାହା ବନ୍ଦ ହୋଇଛି। ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କୋଟିଆର ବନ୍ଧୁ ତାଡ଼ିଙ୍ଗୀ ପ୍ରକାଶ କରିଛନ୍ତି। ସେହିପରି ପ୍ରତ୍ୟେକ ବୁଧବାର କୋଟିଆରେ ସାପ୍ତାହିକି ହାଟ ବସୁଥିଲା। ତାହା ଏବେ ବନ୍ଦ ହୋଇଯାଇଛି। ଯାହାଫଳରେ ସ୍ଥାନୀୟ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ଅନ୍ୟ କେଉଁଠି ନେଇ ବିକୁଛି ନଚେତ୍ ବାଧ୍ୟ ହୋଇ କମ୍ ଦରରେ ବିକୁଥିବା ମଧ୍ୟ ଜଣାପଡ଼ିଛି। ଏହା ବ୍ୟତୀତ କୋଟିଆକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସୁଛନ୍ତି ହେଲେ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସେମାନେ ଅସୁବିଧା ଭୋଗୁଛନ୍ତି।
ତେଣୁ କୋଟିଆରେ ଏକ ମିନି ଅତିଥି ଭବନ ନିର୍ମାଣ ସହ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଗ୍ରାମର କାମେଶ୍ୱର ଗେମେଲ ଦାବି କରିଛନ୍ତି। କୋଟିଆର ଅନେକ ଗ୍ରାମକୁ ଏ ଯାଏଁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ମଧ୍ୟ ଜଣାପଡ଼ିଛି। ବିଏସ୍ଏନ୍ଏଲ୍ ମୋବାଇଲ ଟାୱାର ନିର୍ମାଣ ହେଲା। କିନ୍ତୁ ଖୁବ୍ ଅଳ୍ପ ସମୟ ପାଇଁ ମୋବାଇଲ ସେବା ଉପଲବ୍ଧ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି କୋଟିଆରେ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ଯୁବ ସମାଜସେବୀ ରଞ୍ଜିିତ କୁମାର ପାଙ୍ଗୀ ଦାବି କରିଛନ୍ତି।