କୋରାପୁଟରୁ ଏୟାର ଆମ୍ବୁଲାନ୍ସ ସେବା ଦାବିକଲେ କୋରାପୁଟ ସାଂସଦ

କୋରାପୁଟ,ଏନ୍ଏନ୍ଏସ୍ : ଜୟପୁରସ୍ଥିତ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ମିଳୁନି। ତେଣୁ ସେମାନଙ୍କୁ ଉତ୍ତମ ଚିକିତ୍ସା ଦେବାପାଇଁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବା ଓ ଅତ୍ୟାବଶ୍ୟକସ୍ଥଳେ ରୋଗୀକୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଦାବି କରିଛନ୍ତି। କୋରାପୁଟ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉଲାକା ଉକ୍ତ ଦାବି କରିବାସହ କୋରାପୁଟ ଜିଲ୍ଲାରେ ଅନେକ ଲୋକ କରୋନାରେ ପ୍ରାଣ ହରାଉ ଥିବାବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତାହା ୱେବ୍ ସାଇଟରେ ଦର୍ଶାଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ଗୁରୁତର କରୋନା ଆକ୍ରାନ୍ତମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ସ୍ଥାନାନ୍ତର କଲାବେଳେ ନାନା ସମସ୍ୟା ରହୁଛି ତେଣୁ କୋରାପୁଟକୁ ଏୟାର ଆମ୍ବୁଲାନ୍ସ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି। ଡେଥ୍ ଅଡିଟ୍ କରାଯାଇ କରୋନାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଲୋକଙ୍କ ପିଛା ପରିବାରକୁ ୧୫ ଲକ୍ଷ ଟଙ୍କା ଦେବାକୁ ସାଂସଦ ଦାବି କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ପାଣ୍ଠିରୁ କୋଭିଡ ପରିଚାଳନା ପାଇଁ ସେ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଆମ୍ବୁଲାନ୍ସ, ଭେଟିଂଲେଟର ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ୩୨ଲକ୍ଷ ଟଙ୍କାର ଅଟକଳ ରାଜ୍ୟ ସରକାରଙ୍କୁ ଦେଇଛି, ହେଲେ ରାଜ୍ୟ ସରକାର ଅନୁମୋଦନ ଦେଉନଥିବା ଦୁର୍ଭାଗ୍ୟ ଜନକ ବୋଲି ସାଂସଦ କହିଛନ୍ତି। ଯଦି ୧୫ ଦିନ ମଧ୍ୟରେ ଆମ୍ବୁଲାନ୍ସ ଓ ଭେଂଟିଲେଟର କିଣାନଯାଏ ତାହେଲେ ସେ ବାଧ୍ୟ ହୋଇ ପାଣ୍ଠି ଫେରାଇ ନେବେ ବୋଲି ଧମକ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାରେ ଆମ୍ବୁଲାନ୍ସ କିଣାଯାଇ ପାରୁଛି ହେଲେ କୋରାପୁଟରେ କାହିଁକି ହୋଇ ପାରୁନି ବୋଲି ସାଂସଦ ପ୍ରଶ୍ନ ଉଠାଇଛନ୍ତି। କରୋନା ରୋଗୀମାନଙ୍କୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଥିବା ବିଭିନ୍ନ ହସ୍ପିଟାଲ ଚିକିତ୍ସାନକରି ଫେରାଇ ଦେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଆନ୍ଧ୍ରସରକାରଙ୍କ ସହ ଆଲୋଚନା କରି ବିଶାଖାପାଟଣାର ଯେ କୌଣସି ଗୋଟିଏ ହସ୍ପିଟାଲରେ ଚିକିତ୍ସା ପାଇଁ ଚୁକ୍ତି କରିବାକୁ ଶ୍ରୀ ଉଲାକା ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ନିମାଁଇ ସରକାର, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ କୁମାର ତୁରୁକ, କୋରାପୁଟର କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ, ସାଂସଦ ପ୍ରତିନିଧି ବାବୁଲା ବେନିଆ, ରମେଶ ବାଙ୍କିଆ, ମନୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।