କୋଟିଆରେ କୋରାପୁଟ ସାଂସଦଙ୍କ ସମୀକ୍ଷା ବୈଠକ

କୋରାପୁଟ,ଏନ୍ଏନ୍ଏସ୍: ଓଡିଶା-ଆନ୍ଧ୍ର ସୀମା ବିବାଦୀୟ କୋଟିଆରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସମୀକ୍ଷା ବୈଠକ କରିଛନ୍ତି। ନିଜସ୍ୱ ଆଦର୍ଶ ଗ୍ରାମ ଯୋଜନାରେ ସାଂସଦ ଉଲାକା କୋଟିଆ ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିବା ବେଳେ କୋଟିଆ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିବା ଜଣାପଡ଼ିଛି। ପଟ୍ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ସମସ୍ତ ବିଭାଗକୁ ନେଇ ସେ ସମୀକ୍ଷା କରିଥିଲେ। କୋଟିଆର ବିକାଶ ନିମନ୍ତେ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଦେଇ ବହୁତ ଭଲ ପଦକ୍ଷେପ ନେଇଥିବା ସେ ସୂଚନା ଦେଇଥିଲେ।

ଦଳଗତ ନିର୍ବିଶେଷରେ ସମସ୍ତେ ମିଳିମିଶି କୋରାପୁଟ ଜିଲ୍ଲାକୁ ଏକ ପ୍ରଗତିଶୀଳ ଜିଲ୍ଲା ଭାବେ ପରିଣତ କରିବାକୁ ସାଂସଦ ଆହ୍ୱାନ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ବିଭାଗର ବ୍ୟୟ ବରାଦ ଉପରେ ଆଲୋକପାତ କରିଥିଲେ। ସମୀକ୍ଷା ବୈଠକରେ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁର, ବ୍ଲକ୍ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗୀ, ବିଡିଓ ମୋନାଲିସା ଦେବତା, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟା, କୋଟିଆ କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା, କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ପରେ ସାଂସଦ ଶ୍ରୀ ଉଲାକା କୋଟିଆ ଓ ଦେଓମାଳି ପରିଦର୍ଶନ କରିଥିଲେ।