କୋରାପୁଟର ୧ଲକ୍ଷ ୪୫ ହଜାର ହେକ୍ଟର ଉପରେ କରିହେବ କଫିଚାଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କଫିଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ରାଜ୍ୟ ସରକାର କଫିଚାଷ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ, ଓଡ଼ିଶା ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ଓଡ଼ିଶାରେ ସବୁ ସବୁଧା ଥାଇ ମଧ୍ୟ ଓଡ଼ିଶା କଫିଚାଷ କ୍ଷେତ୍ରରେ ବହୁ ପଛରେ ରହିଛି। ଓଡ଼ିଶାର କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ଓ କେନ୍ଦୁଝର ଆଦି ଜିଲ୍ଲା କଫିଚାଷ ପାଇଁ ଅନୁକୂଳ ପରିବେଶ ରହିଛି।

ଓଡ଼ିଶାର ମୋଟ ୪ହଜାର ୨ଶହ ୩୯ ହେକ୍ଟର ସ୍ଥାନରେ ଚାଷ ହେଉଛି। ଓଡ଼ିଶାରେ କଫିଚାଷ ପାଇଁ ୩ ଲକ୍ଷ ହେକ୍ଟର ଜାଗାରେ ଚାଷ ପାଇଁ ଲକ୍ଷ୍ୟ ରହିଛି। ସେଥିମଧ୍ୟରୁ କୋରପୁଟରେ ୧ଲକ୍ଷ ୪୫ ହଜାର ହେକ୍ଟର ରହିଛି। ସେଥିରୁ ୩ହଜାର ୨ଶହ ହେକ୍ଟରରେ କଫିଚାଷ ହେଉଛି। ରାୟଗଡ଼ାରେ ୫୦ହଜାର ହେକ୍ଟର ରହିଛି। ସେଥିରୁ ୪ଶହ ୨୫ ହେକ୍ଟର ଚାଷ ହେଉଛି। କନ୍ଧମାଳରେ ଚାଷ ପାଇଁ ବହୁତ ସୁବିଧା ଓ ଅନୁକୁଳ ପରିବେଶ ରହିଛି। ସେଠାରେ ୧ଲକ୍ଷ ୧୦ ହଜାର ହେକ୍ଟର ରହିଛି।

ବର୍ତ୍ତମାନ ମୁଖ୍ୟତଃ କନ୍ଧମାଳ ଓ କୋରାପୁଟ କଫିଚାଷ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖାଯାଇଛି। କୋରାପୁଟରେ ମୁଖ୍ୟତଃ କଫିଚାଷ ସେଣ୍ଟର ଭାବେ ଧରାଯାଏ, ତାହେଲେ ୧ଲକ୍ଷ ୪୫ ହଜାର ହେକ୍ଟର ଉପରେ କଫିଚାଷ କରିହେବ ବୋଲି କଫି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତରେ ୩ଲକ୍ଷ ୧୯ ହଜାର ଟନ୍ କଫି ଉତ୍ପାଦନ ହେଉଛି। ଆନ୍ଧ୍ରପ୍ରଦେଶରେ ୧୨ହଜାର ମେଟ୍ରିକ୍ ଟନ୍ ରହିଛି । ହେଲେ ଓଡ଼ିଶାରେ ୬୭୦ ମେଟ୍ରିକ୍ ଟନ୍ ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୨ ପ୍ରତିଶତ ସ୍ଥାନକୁ ବ୍ୟବହାର କରି କଫିଚାଷ ହେଉଛି। ଆହୁରି ମାତ୍ର ୯୮ ପ୍ରତିଶତ ଏରିଆ କଫିଚାଷ ପାଇଁ ବାକି ରହିଛି ବୋଲି ଜଣାପଡ଼ିଛି। ଓଡ଼ିଶାରେ ବର୍ତ୍ତମାନ ମୋଟ୍ ଉପରେ ୬୭୦ ମେଟ୍ରିକ୍ ଟନ୍ କଫି ଉତ୍ପାଦନ ହେଉଛି। ସେଥିରୁ କୋରାପୁଟ୍ରେ କେବଳ ୫୫୦ ମେଟ୍ରିିକ୍ ଟନ୍ ଉତ୍ପାଦନ ହେଉଛି। ବାକି ୧୨୦ ମେଟ୍ରିକ୍ ଟନ୍ ଅନ୍ୟ ଅଞ୍ଚଳଗୁଡ଼ିକରେ ଉତ୍ପାଦନ ହେଉଛି।

ଓଡ଼ିଶାରେ ଏହି କଫିଚାଷକୁ ବଢ଼ାଇବା ଲାଗି ବର୍ତ୍ତମାନ ରାଜ୍ୟ ସରକାର ବହୁମାତ୍ରାରେ ଯୋଜନା ଚଳାଇଛନ୍ତି। କଫି ଚାଷୀ ଓ କଫି ଉଦ୍ୟୋଗୀ ଯେପରି କଫିଚାଷରେ ଲାଭବାନ ହୋଇପାରିବେ, ସେଥିପାଇଁ ଭ୍ୟାଲୁ ଆଡିସନ୍ ଯୁକ୍ତ ମାକେର୍ଟ ବ୍ୟବସ୍ଥା ଲାଗି ଉଦ୍ୟମ ଚାଲିଛି। ଓଡ଼ିଶାରେ ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ଟିବିସିସିର ନିଜସ୍ୱ ‘କୋରାପୁଟ କଫି’ ବ୍ରାଣ୍ଡ୍ ନାମରେ କଫି ବିକ୍ରି ଆରମ୍ଭ ହୋଇଛି।

ଏହି ‘କୋରାପୁଟ କଫି’କୁ ଦେଶୀୟ ଓ ଅନ୍ତର୍ଜାତୀୟସ୍ତରରେ ବିକ୍ରି ପାଇଁ ବର୍ତ୍ତମାନ ପ୍ରଥମଥର ପାଇଁ ‘ଆମାଜନ୍’ ବିକ୍ରି ସାଇଡ୍ରେ ଉପଲବ୍ଧ ରହିଛି। ପ୍ରାୟ ଦିନକୁ ୩୦ କେଜି ପର୍ଯ୍ୟନ୍ତ କୋରାପୁଟ କଫି ବିକ୍ରି ହେଉଛି। ଯାହାକୁ ଗ୍ରାହକମାନେ ବହୁମାତ୍ରାରେ ପସନ୍ଦ କରୁଛନ୍ତି। ହେଲେ ଉପଯୁକ୍ତ ବଜାର ସୁବିଧା ମିଳିନଥିବାରୁ ବିକ୍ରି କ୍ଷେତ୍ରରେ ଧିମା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ତା’ର କଫି ବିକ୍ରି ପାଇଁ ଏୟାରପୋର୍ଟରେ କଫି କ୍ୟାଫ୍ରେ ବ୍ୟବସ୍ଥା କରିଛି। ସେହିପରି ଭଲ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଏୟାରପୋର୍ଟ ଓ ରେଲୱେ ଷ୍ଟେସନରେ ‘କୋରାପୁଟ କଫି କ୍ୟାଫେ’ ବ୍ୟବସ୍ଥା କରିବା କଥା। ସେହିପିର ଅର୍ନ୍ତଜାତୀୟ ବଜାରରେ ବିକ୍ରି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଓଡ଼ିଶାରେ କଫି ଫଳକୁ କଫି ପାଉଡରରେ ପ୍ରସ୍ତୁତ କରିବା ସମୟରେ ବିଶେଷ ଭାବେ କଫି ପାଇଁ ଆବଶ୍ୟକ ହେଉଥିବା କେମିକାଲ ବ୍ୟବହାର କରୁନାହାନ୍ତି। ଓଡ଼ିଶା କଫିର ସ୍ୱତନ୍ତ୍ରତା ବଜାୟ ରଖୁଛି। ଫଳରେ ଏହାର ଡିମାଣ୍ଡ୍ ଅନ୍ତର୍ଜାତିୟ ସ୍ତରରେ ଭଲ ରହିଛି। ଓଡ଼ିଶାର କୋରାପୁଟ୍ କଫିକୁ ଫିଲ୍ଟର କଫି ଭାବରେ ବ୍ୟବହାର କରାଯାଉଛି। କୋରାପୁଟ୍ କଫିର ବାଲାନ୍ସ ଏସିଡିକ୍ ଓ ଲାଇଟ୍ ଏସିଡିକ୍ ଓ ପ୍ପାଇସ୍ ନୋଟ୍ ସ୍ୱତନ୍ତ୍ର ଗୁଣବତ୍ତା ରହିଛି। ଏହି କଫି ପାଇଁ ସ୍ୱତନ୍ତ୍ର ପ୍ୟାକେଟ୍ କରାଯାଇଛି।

କଫିଚାଷରେ ସେଠାକାର ଗରିବ ଓ ଆଦିବସୀମାନେ ଯେପରି ସାମିଲ ହୋଇ କଫିଚାଷରୁ ଲାଭବାନ ହୋଇପାରିବେ, ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉଛି। ଓଡ଼ିଶାର ଟ୍ରାଇବାଲ୍ ଡେଭଲପମେଣ୍ଟ୍ କର୍ପୋରେସନ୍ କୋଅପରେଟିଭ୍(ଟିବିସିସି) କଫିଚାଷ କ୍ଷେତ୍ରରେ ସହାୟତାର ହାତ ବଢ଼ାଇଛି। ଏହି କଫିଫଳକୁ କଫି ପାଉଡ୍ରରେ ପ୍ରସ୍ତୁତ କରିବା ଲାଗି ରୋଷ୍ଟିଂ, ଗ୍ରାଇଣ୍ଡିଂ ଓ ପ୍ୟାକେଟିଂ ବ୍ୟବସ୍ଥା କୋରାପୁଟ୍ ଚନ୍ଦନପୋଖରୀଠାରେ ବ୍ୟବସ୍ଥା କରାଯାଇଛି।

ସେହିପରି କଫି ପାଇଁ ସମ୍ପୂର୍ଣ୍ଣ ଭାବେ ଫୁଲ୍ ଫେଜ୍ ‘କ୍ୟୁରିଂ ସେଣ୍ଟର’ କାର୍ଯ୍ୟକ୍ଷମ ପାଇଁ ସୁନାବେଡ଼ାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଠାରେ(ଟିବିସିସି) ସମସ୍ତ ସହାୟତାର ହାତ ବଢ଼ାଇଛି। ଏହି କଫିଚାଷ ପାଇଁ କଫି ବୋର୍ଡ ଅଫ୍ ଇଣ୍ଡିଆ ଟେକ୍ନିକାଲ ସହଯୋଗ ଯୋଗାଇ ଦେଉଛି। ଏହି କଫିଚାଷ କ୍ଷେତ୍ରରେ ଓଡ଼ିଶା ସରକାର ଗରିବ ଓ ଆଦିବାସୀଙ୍କ ପାଇଁ ସହଯୋଗ କରିଛନ୍ତି। ସେହିପରି ଘରୋଇ ସଂସ୍ଥା ଭାବେ ଯେଉଁମାନେ କଫିଚାଷ କରିଛନ୍ତି ,ସେମାନଙ୍କୁ ମଧ୍ୟ କଫି ବୋର୍ଡ ସହାୟତା ଯୋଗାଇ ଦେଉଥିବା ଜଣାପଡ଼ିଛି।