ପାନୀୟଜଳ ସମସ୍ୟା ନେଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ କୁରୁମାନୁର ସଦର ପଞ୍ଚାୟତର କୁରୁମାନୁର ଗ୍ରାମବାସୀ ପଣି ସମସ୍ୟାନେଇ ଚିତ୍ରକୋଣ୍ଡା ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଶତାଧିକ ଗ୍ରାମବାସୀ ହାତରେ ହାଣ୍ଡି, ଡ଼େକଚି ଧରି କୁରୁମାନୁର ଠାରୁ ଚିତ୍ରକୋଣ୍ଡା ବ୍ଲକ୍ ପ୍ରାୟ ୩୦ କିଲୋମିଟର ଆସି ପୂର୍ବତନ ସରପଞ୍ଚ ନାଗେଶ୍ୱର ସେଠୀଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବ୍ଲକ୍ ଆସିଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ ଗ୍ରାମରେ ଆଠଟି ନଳକୂଅ ଓ ୩ଟି ସୋଲାର ପଏଣ୍ଟ ବସିଛି ସତ, ମାତ୍ର ସେ ସବୁ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିଛି। ଗ୍ରାମବାସୀ ୨ କିଲୋମିଟର ଚାଲି ଚାଲି ଜଙ୍ଗଲ ଭିତରେ ଥିବା ଛୋଟ ନାଳକୁ ଖୋଳି ଚୁଆ ପ୍ରସ୍ତୁତ କରି ସେଥିରୁ ପାଣି ଆଣି ଛାଣି ପିଉଛନ୍ତି। ବହୁ ଅଭିଯୋଗ କରି ଆସୁଥିଲେ ବି ପଞ୍ଚାୟତ ଅଧିକାରୀ କିମ୍ବା ଜିଆରଏସ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଚିତ୍ରକୋଣ୍ଡା ବ୍ଲକ୍ ଜିପିଓ ହେମନ୍ତ କୁମାର ଭୂୟାଁ, ରାଲେଗଡା଼ ଓ ଚିତ୍ରକୋଣ୍ଡା ପିଇଓ ବାଳକୃଷ୍ଣ ଦେହୁରୀ ଏବଂ ଆରଡବ୍ଲୁଏସଏସ ଯନ୍ତ୍ରୀ ଶଶୀ ଭୂଷଣ ନାୟକ ଲୋକଙ୍କୁ ବୁଝାସୁଝା କରି ପାଣି ସୁବିଧା ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଇବା ସହ ତୁରନ୍ତ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।