୫ କିମି ପାହାଡ଼ଚଢ଼ି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ପାହାଡ଼ ଉପରେ ଥିବା ମଇଁଷିଖାଲ ଗ୍ରାମକୁ ବିଡିଓ ହୃଦାନନ୍ଦ ସାହୁ ସୋମବାର ଗସ୍ତ କରିଥିଲେ। ପାହାଡ଼ ଉପରେ ବିଡିଓ ୫ କି.ମି ଚାଲିବାପରେ ଗ୍ରାମରେ ପହଞ୍ଚିଥିଲେ। ପାଣି ସମସ୍ୟାନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ବିଡିଓ ଶ୍ରୀ ସାହୁ ତୁରନ୍ତ ଗ୍ରାମକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ପାହାଡ଼ ଉପରୁ ଝରଣା ପାଣିକୁ ଗୋଟିଏ ଜାଗାରେ ଗଚ୍ଛିତ କରି ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ଏହାର ତଦାରଖ ପାଇଁ ସେ ଦୁର୍ଗମ ମଇଁଷିଖାଲରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୪୦ ପରିବାର ବସବାସ କରନ୍ତି। ଗ୍ରାମକୁ ରାସ୍ତା ନ ଥିବାରୁ ସେମାନେ ପାହାଡିଆ ରାସ୍ତାରେ ଚାଲିଚାଲି ଯାଆନ୍ତି। କନିଷ୍ଠଯନ୍ତ୍ରୀ ବିଶ୍ୱ କୁମାର ମଲ୍ଲିକଙ୍କ ସହ ଅନ୍ୟମାନେ ବିଡିଓଙ୍କ ସହ ଗ୍ରାମକୁ ଗସ୍ତ କରିଥିଲେ।