କୋଣାର୍କ ଐତିହ୍ୟାଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ, ଜନମତ ଲୋଡିଲେ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଥମେ ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ିତୋଳିବାକୁ ନିଷ୍ପତ୍ତି ହେଲା। ନିର୍ମାଣ କାର୍ଯ୍ୟ ବି ଜୋରସୋରରେ ଆଗେଇ ଚାଲିଲା। ଦ୍ୱିତୀୟରେ ଏକାମ୍ର କ୍ଷେତ୍ର ଐତିହ୍ୟ ନଗରୀ କାର୍ଯ୍ୟ ଆରମ୍ଭହେଲା। ଏବେ ବିଶ୍ୱର ଅନନ୍ୟ କୀର୍ତ୍ତିରାଜି କୋଣାର୍କର ପାଳି। କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ଏହି କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ‘ଅନ୍ତର୍ଜାତୀୟ ମାନର’ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ପ୍ରସ୍ତୁତ ହୋଇଛି କୋଣାର୍କ ଐତିହ୍ୟାଞ୍ଚଳ ବିକାଶ ଚିଠା ଯୋଜନା। ୫-ଟି କାର୍ଯ୍ୟକ୍ରମ ଅଧୀନରେ ରହିବ ଏହି ଐତିହ୍ୟ ପ୍ରକଳ୍ପ।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ କାମ ଆଗେଇ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟାଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ଏହାକୁୁ ଅନ୍ତର୍ଜାତୀୟ ମାନର କରାଯିବ। ସେଥିପାଇଁ କୋଣାର୍କ ମନ୍ଦିରର ପାରିପା ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସାଢ଼େ ତିନି କିଲୋମିଟର ବାହ୍ୟ ରିଂ ରୋଡ୍କୁ ଛଅ ଥାକିଆ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ। ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟ୍ର ବିକାଶ କରାଯିବ। ଫେରିବାଲାଙ୍କୁ ପୁନଃ ଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଓ ଲ୍ୟଣ୍ଡସ୍କାପିଂ କରାଯିବ। ପ୍ରବେଶସ୍ଥଳରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ତା ସହିତ ଗାଡିମଟର ପାର୍କିଂ ପାଇଁ ‘ମଲ୍ଟି ମୋଡାଲ ହବ୍’ ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।

କୋଣାର୍କ ଐତିହ୍ୟ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ଠାରୁ ମତ ଲୋଡ଼ିଛନ୍ତି। ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ। ମତାମତ ଦେବାର ଠିକାଣା ହେଉଛି-konark_obcc@gmail.com । ମତାମତ ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।
ମୁଖ୍ୟମନ୍ତ୍ରୀ କହିଥିଲେ, ତ୍ରୟୋଦଶ ଶତାଦ୍ଦୀର ଏହି ଅନୁପମ କୀର୍ତ୍ତି ତାର ଅବିଶ୍ୱସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିରର ମୁଖ୍ୟ ଅଂଶ ଭାଙ୍ଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡ଼ିଶାର କାରିଗର ଓ ଶିଳ୍ପୀଙ୍କର ଦକ୍ଷତାର ଜୟଗାନ କରିଆସୁଛି। ଏହି ମନ୍ଦିର ତତ୍କାଳୀନ ଓଡ଼ିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ। ମନ୍ଦିର ଗାତ୍ରରେ ଜିରାଫର ଚିତ୍ର ଆଫ୍ରିକୀୟ ଦେଶଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ରେ ୟୁନେସ୍କୋ କୋଣାର୍କକୁ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀଙ୍କ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ। କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ୱସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲାବେଳେ ପୂର୍ତ୍ତ ସଚିବ କିଶନ କୁମାର ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଐତିହ୍ୟ ପ୍ରକଳ୍ପ ସମ୍ପର୍କିତ ରିପୋର୍ଟ ଉପସ୍ଥାପନା କରିଥିଲେ। ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।