୧୫ ମେ’ ଯାଏଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନାର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତା ମେ’ ୧୫ ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ଦ୍ୱାରା ପରିଚାଳିତ ଦେଶର ସମସ୍ତ ଐତିହ୍ୟସ୍ଥଳୀ, କୀର୍ତ୍ତିରାଜି ଏବଂ ସଂଗ୍ରହାଳୟ ବନ୍ଦ ରଖାଯିବା ନେଇ ସ୍ଥିର ହୋଇଛି। ଏ ସମ୍ପର୍କରେ କୀର୍ତ୍ତିରାଜି ବିଭାଗୀୟ ନିର୍ଦ୍ଦେଶକ ଏନକେ ପାଠକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣୁ ଓଡ଼ିଶାରେ ଏଏସ୍ଆଇର ପରିଚାଳନାରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର, ରାଜରାଣୀ ମନ୍ଦିର ଇତ୍ୟାଦିରେ ମଧ୍ୟ ମେ’ ୧୫ ପର୍ଯ୍ୟନ୍ତ ତାଲା ଝୁଲିବାକୁ ଯାଉଛି। ଏହି ସମୟ ମଧ୍ୟରେ ସଂପୃକ୍ତ ସ୍ଥଳୀମାନଙ୍କରେ ସାଧାରଣ ପର୍ଯ୍ୟଟକଙ୍କ ପ୍ରବେଶ ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ସୂଚନାଯୋଗ୍ୟ, ଓଡ଼ିଶାର ମୋଟ୍ ୮୦ଟି କୀର୍ତ୍ତିରାଜି ଏଏସଆଇର ରକ୍ଷଣାବେକ୍ଷଣରେ ରହିଛି।