କୋଣାର୍କ ଉତ୍ସବ: ମନ କିଣିଲା ଓଡ଼ିଶୀ ଓ ଶିବ ଆରାଧନା

କୋଣାର୍କ , ଏନ୍ଏନ୍ଏସ୍: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିବେଦିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମୋଡରେ ଏହାର ଉଦ୍‍ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ, ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବହେରା, ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ୍‍, ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ବିଭାଗ କମିସନର ଓ ସଚିବ ବିଶାଲ କୁମାର ଦେବ୍‍, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଦି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ମୁକ୍ତାକାଶ ମଞ୍ଚରେ ପ୍ରଥମ ପ୍ରସ୍ତୁତିକୁ ନେଇ ପ୍ରବେଶ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀଗଣ । ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବମ୍‍ ଧୀମହୀକୁ ନିଖୁଣଭାବେ ବାଢି ଦେଇଥିଲେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ପ୍ରଶିକ୍ଷିତ ଶିଳ୍ପିଗଣ । ବିଶ୍ୱ ଐତିହର ସ୍ମାରକି ଭବ୍ୟ କୋଣାର୍କ ମନ୍ଦିରର ପାଦଦେଶରେ ଶାସ୍ତ୍ରୀୟ ନୃତ୍ୟର ଉପସ୍ଥାପନା ଯେତିକି ମନଛୁଆଁ ଥିଲା ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳାର ଆୟୋଜନ ସେତିକି ଆକର୍ଷଣୀୟ ଥିଲା । ପର୍ଯ୍ୟଟନ ବିଭଗ ତରଫରୁ ସାମାଜିକ ଦୂରତା ରକ୍ଷା, ବିଶୋଧନ ଓ ମୁଖାବରଣ ପରିଧାନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଡିଡି ଭାରତୀରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା । ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ସନ୍ଧ୍ୟାର ପରିବେଶଣକୁ ସଂଯୋଜିତ କରିଥିବା ବେଳେ ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ମାହୀ ଡ଼. ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ପରିଚାଳନାରେ ସହାୟତା ଦେଇଥିଲେ ।