ଆଇପିଏଲ୍‌: ମୁମ୍ବାଇକୁ ହରାଇଲା କୋଲକାତା, ୧୩ ରନ୍ ଭିତରେ ନେଲା ୬ଟି ୱିକେଟ୍

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୬ ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଦମଦାର ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇର ଡ. ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୧୬୫ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଏହି ମ୍ୟାଚ୍ ଜିତିବ ବୋଲି ପ୍ରଶଂସକମାନେ ଆଶା କରୁଥିଲେ। କିନ୍ତୁ କୋଲକାତାର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ମୁମ୍ବାଇ ୧୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍‌ରେ ଅଟକି ଯାଇଥିଲା।

ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା। ଟିମ୍ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଅଧିନାୟକ ରୋହିତ ମାତ୍ର ୨ ରନ୍ କରିଥିଲେ। ଈଷନ କିଶନ ଓ ତିଲକ ବର୍ମା ୨ୟ ୱିକେଟ ପାଇଁ ୩୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ମୁମ୍ବାଇ ୬୯ ରନ୍ ବେଳକୁ ରମନଦୀପ ସିଂହ ଓ ୮୩ ରନ୍‌ରେ ଟିମ୍ ଡାଭିଡଙ୍କୁ ହରାଇଥିଲା। ଇଷନ କିଶନ ଅର୍ଦ୍ଧଶତକ (୫୧ ରନ୍‌) ହାସଲ କରିଥିଲେ। ସେ ୪୩ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। କୋଲକାତା ଶେଷ ୬ୱିକେଟ ନେବା ପାଇଁ ମାତ୍ର ୧୩ ରନ୍ ଖର୍ଚ୍ଚ କରିଥିଲା।

କୋଲକାତାର ସମସ୍ତ ବୋଲର ଭଲ ବୋଲିଂ କରିଥିଲେ। ପେଟ କମିନ୍ସ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ଆନ୍ଦ୍ରେ ରସେଲ ୨ଟି, ଟିମ୍ ସାଉଦୀ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭେଙ୍କଟେସ୍ ଆୟର ଓ ନୀତିଶ ରାଣା ୪୩-୪୩ ରନ୍ ବଳରେ କୋଲକାତା ୧୬୫ ରନ୍ ସଂଗ୍ରହ କରିଥିଲା।