କୋଲକାତାରେ ବିଜେପିର ବିକ୍ଷୋଭ : ପୁଲିସର ଲାଠିମାଡ଼

କୋଲକାତା,ଏଜେନ୍ସି: କୋଲକାତା ସହରରେ ଡେଙ୍ଗୁ ବ୍ୟାପୁ ଥିବାରୁ ଏହାର ପ୍ରତିବାଦରେ ବୁଧବାର ବିଜେପି ସମର୍ଥକମାନେ କୋଲକାତା ପୌରନିଗମ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ ବାଧାଦେବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଫଳରେ ପୁଲିସ ବିଜେପି ସମର୍ଥକଙ୍କ ଉପରେ ଲାଠି ପ୍ରୟୋଗ କରିବା ସହ ପାଣିମାଡ଼ କରିଥିଲା। ଏହି ସମୟରେ ୩୭ ଜଣ ବିଜେପି ସମର୍ଥକ ଗିରଫ ହୋଇଛନ୍ତି।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗ ସଭାପତି ଦିଲ୍ଲୀପ ଘୋଷଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିଲା। ଯୁବମୋର୍ଚ୍ଚାର ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସେଣ୍ଟ୍ରାଲ ଆଭେନ୍ୟୁଠାରେ ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା। କୋଲକାତା ପୌରନିଗମ କାର୍ଯ୍ୟାଳୟ ପରିସରରେ ୧୪୪ ଧାରା ଜାରି କରାଯାଇଥିବାରୁ ସେଠାରେ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ନେତା ରାଜୁ ବାନାର୍ଜୀ କହିଛନ୍ତି, ସହରରେ ଡେଙ୍ଗୁ ବ୍ୟାପି ଚାଲିଥିବାବେଳେ ଏହାକୁ ରୋକିବା ପାଇଁ ମମତା ବାନାର୍ଜୀଙ୍କ ସରକାର ବିହିତ ପଦକ୍ଷେପ ନେଉନାହାନ୍ତି। ଗତ ୪ ବର୍ଷ ଧରି ଏଭଳି ପରିସ୍ଥିତି ଲାଗି ରହିଛି। ବିଜେପି ନେତ୍ରୀ ରିମଝିମ୍ ମିତ୍ର କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବାକୁ ପୂର୍ବରୁ ଅବଗତ କରି ଅନୁମତି ପାଇଥିଲୁ। ଏହାସତ୍ତେ୍ୱ ଆମକୁ ବାଧା ଦିଆଗଲା।