ଶାମିଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ କୋହଲୀ

ନୂଆଦିଲ୍ଲୀ: ଟି-ଟ୍ୱୋଣ୍ଟି ୱାର୍ଲ୍ଡକପର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନଠାରୁ ହାରିବା ପରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ କିଛି ଲୋକ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ। ଏନେଇ ଅଧିନାୟକ ବିରାଟ କୋହଲୀଙ୍କ ବୟାନ ସାମ୍ନାକୁ ଆସିଛି। ଶାମିଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ବିରାଟ କଡ଼ା ଜବାବ ଦେଇଛନ୍ତି।

ବିରାଟ କୋହଲୀ କହିଛନ୍ତି ଯେ, ଆମେ ମ୍ୟାଚ ଉପରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ କେନ୍ଦ୍ରିତ କରିଛୁ। ଟିମ୍ ବର୍ତ୍ତମାନ ସମୟରେ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ଫୋକସ କରୁଛି। କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ୍। ମୁଁ ଆଜିପର୍ଯ୍ୟନ୍ତ କାହା ସହ ବି ଏମିତି ବ୍ୟବହାର କରିନାହିଁ। କିନ୍ତୁ କିଛି ଲୋକ କେବଳ ଏହା ହିଁ କରିଥାନ୍ତି।
କୋହଲୀ ଆହୁରି କହିଛନ୍ତି ଯେ, ମହମ୍ମଦ ଶାମିଙ୍କ ଖେଳରେ ଯଦି କାହାକୁ ନିଷ୍ଠା ଦେଖାଯାଉ ନାହିଁ ତେବେ ସେମାନଙ୍କ ଲାଗି ମୁଁ ମୋ ସମୟ ନଷ୍ଟ କରିପାରିବି ନାହିଁ। ସୋସିଆଲ ମିଡିଆରେ ଯେଉଁମାନେ ଖେଳାଳିଙ୍କୁ ଟାର୍ଗେଟ କରୁଛନ୍ତି ସେମାନଙ୍କ ଲାଗି ସମୟ ନଷ୍ଟ କରିବାର କୌଣସି ମୂଲ୍ୟ ନାହିଁ। ଖେଳାଳିଙ୍କ ଧର୍ମକୁ ନେଇ ଉପହାସ କରୁଥିବା ଲୋକ ସମାଜରେ ଘୃଣା ସୃଷ୍ଟି କରୁଛନ୍ତି। ଖେଳାଳିଙ୍କୁ ଉପହାସ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଆମ ପାଇଁ ମ୍ୟାଚ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ମ୍ୟାଚ ଯୋଗୁ ସବୁକିଛି ଖରାପ ହୋଇନଥାଏ।