ସ୍ପେଶାଲ କ୍ଲବରେ ସାମିଲ ହେବେ କୋହଲି

ସାଉଥ୍ ଆଫ୍ରିକା ବିପକ୍ଷ ଏହି ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ସେ ଯଦି ଏହି ସିରିଜର ୩ଟି ମ୍ୟାଚରୁ ୨୪୨ ରନ୍ ସଂଗ୍ରହ କରନ୍ତି ତେବେ, ସାଉଥ୍ ଆଫ୍ରିକା ବିପକ୍ଷରେ ଟେଷ୍ଟ କ୍ରିକେଟରେ ଚତୁର୍ଥ ଭାରତୀୟଭାବେ ଏକ ହଜାର ରନ୍ ପୂରଣ କରିବେ। ଏହାଦ୍ୱାରା ସେ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲ ଦ୍ରାବିଡଙ୍କ ସହ ଏଲିଟ୍ କ୍ଲବରେ ସାମିଲ ହେବେ।

ବର୍ତ୍ତମାନ ସୁଦ୍ଧା କୋହଲି ୯ଟି ଟେଷ୍ଟର ୧୬ଟି ଇନିଂସ୍ରୁ ୪୭.୩୭ ହାରରେ ୭୫୮ ରନ୍ ସଂଗ୍ରହ ଏବେ ସପ୍ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ସଚିନ୍ ତେନ୍ଦୁଲକର ୨୫ଟି ଟେଷ୍ଟର ୪୫ଟି ଇନିଂସ୍ରୁ ୪୨.୪୬ ହାରରେ ୧୭୪୧ ରନ୍ ସଂଗ୍ରହ କରି ରହିଛନ୍ତି। ଏହା ମଧ୍ୟରେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି। ସଚିନ୍ ଏହି ତାଲିକାରେ ବିଶ୍ୱ କ୍ରିକେଟରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହ୍ୱାଗ ୧୫ଟି ଟେଷ୍ଟର ୨୬ଟି ଇନିଂସ୍ରୁ ୫୦.୨୩ ହାରରେ ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୧୩୦୬ ରନ୍ ସଂଗ୍ରହ କରି ଭାରତୀୟଙ୍କ ମଧ୍ୟରେ ଦ୍ୱିତୀୟରେ ରହିଛନ୍ତି। ଦ୍ରାବିଡ ୨୧ଟି ଟେଷ୍ଟର ୪୦ଟି ଇନିଂସ୍ରୁ ୩୩.୮୩ ହାରରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସହାୟତାରେ ୧୨୫୨ ରନ୍ ସଂଗ୍ରହ କରି ତୃତୀୟରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭିଭିଏସ୍ ଲକ୍ଷ୍ମଣ ୯୭୬, ସୌରଭ ଗାଙ୍ଗୁଲି ୯୪୭ ଓ ମହମ୍ମଦ ଆଝାରୁଦ୍ଦିନ୍ ୭୭୯ ରନ୍ ସଂଗ୍ରହ କରି ଯଥାକ୍ରମେ ଚତୁର୍ଥରୁ ଷଷ୍ଠ ସ୍ଥାନରେ ରହିଛନ୍ତି।