ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: କୋହଲି ଶୀର୍ଷ ୧୦ରୁ ବାଦ୍‌, ଶ୍ରେୟସ୍‌ଙ୍କ ଜୋର୍‌ଦାର ଲମ୍ଫ ପ୍ରଦାନ

ଦୁବାଇ,ଏଜେନ୍ସି: ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ବୁଧବାର ପ୍ରକାଶିତ ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍ ୨୭ଟି ସ୍ଥାନର ବଡ଼ ଲମ୍ଫ ପ୍ରଦାନ କରିଛନ୍ତି । ମାତ୍ର ପୂର୍ବତନ କ୍ୟାପ୍‌ଟେନ୍ ବିରାଟ କୋହଲି ଶୀର୍ଷ ୧୦ରୁ ବାଦ୍ ପଡ଼ିଛନ୍ତି । ନିକଟରେ ଶେଷ ହୋଇଥିବା ଘରୋଇ ଶ୍ରୀଲଙ୍କା ସିରିଜ୍‌ରେ ମିଳିଥିବା ବିଜୟ ଭାରତୀୟ ଖେଳାଳିଙ୍କୁ ର‌୍ୟାଙ୍କିଙ୍ଗ୍‌ରେ ବଡ଼ ସଫଳତା ଦେଇଛି । ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍‌ଙ୍କୁ ନିଜର ଆକ୍ରମଣାତ୍ମକ ଏବଂ ତିନିଟି ଅର୍ଦ୍ଧଶତକୀୟ ଇନିଂସ୍‌ରୁ ବଡ଼ ଲାଭ ମିଳିଛି, ଯାହା ଫଳରେ ସେ ଜୋର୍‌ଦାର ଲମ୍ଫ ପ୍ରଦାନ କରି ବ୍ୟାଟିଂ ତାଲିକାର ୧୮ତମ ସ୍ଥାନରେ ପହଞ୍ଚିଛନ୍ତି ।

ଫେବୃଆରୀରେ ଶେଷ ହୋଇଥିବା ଏହି ସିରିଜ୍‌ରେ ଶ୍ରୀଲଙ୍କାକୁ ଭାରତ ୩-୦ରେ ପରାଜିତ କରିଥିଲା । ଏଥିରେ ୨୭ ବର୍ଷୀୟ ଶ୍ରେୟସ୍ ୧୭୪ ଷ୍ଟ୍ରାଇକ୍ ରେଟ୍ ସହ ତିନିଟି ମ୍ୟାଚ୍‌ରେ ଅପରାଜିତ ୨୦୪ ରନ୍ କରିଥିଲେ । ସେହିପରି ଟିମ୍ ଇଣ୍ଡିଆ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାର ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ୩ଟି ସ୍ଥାନର ଉନ୍ନତି ସହ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ୭୫ ରନ୍‌ର ଇନିଂସ୍ ଖେଳିଥିବା ଶ୍ରୀଲଙ୍କା ପାଥୁମ୍ ନିଶଙ୍କା ଛଅଟି ସ୍ଥାନର ଉନ୍ନତି ସହ ୯ମରେ ପହଞ୍ଚିଥିବା ବେଳେ ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ ବିରାଟ କୋହଲି ପାଞ୍ଚଟି ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି । ଏହି ସିରିଜ୍‌ରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା ।

ଟି-୨୦ ର‌୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ସୂଚୀରେ ବଡ଼ ଫାଇଦା ପାଇଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ୟୁଏଇର ମହମ୍ମଦ ୱାସିମ୍ । ଆୟର୍ଲାଣ୍ଡ ବିପକ୍ଷ ଆଇସସିସି ଟି-୨୦ ବିଶ୍ୱ କପ୍ କ୍ୱାଲିଫାୟର୍‌-ଏ’ରେ ଅପରାଜିତ ଶତକ ତାଙ୍କୁ ଦ୍ୱାଦଶ ସ୍ଥାନରେ ପହଞ୍ଚାଇଛି । ଏହା କୌଣସି ୟୁଏଇ ବ୍ୟାଟ୍ସମ୍ୟାନ୍‌ଙ୍କ ସର୍ବଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍ । ଏହା ପୂର୍ବରୁ ଶାଇମାନ୍ ଅନୱର୍ ୨୦୧୭ରେ ତ୍ରୟୋଦଶ ସ୍ଥାନ ହାସଲ କରିଥିଲେ ।

ସେହିପରି ଶ୍ରୀଲଙ୍କାର ଲାହିରୁ କୁମାରା ପ୍ରଥମ ଥର ପାଇଁ ଶୀର୍ଷ ୪୦ ବୋଲର୍‌ଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ୟୁଏଇର ଜାହରୁ ଖାନ୍ ୧୭ ସ୍ଥାନର ଉନ୍ନତି ସଂଯୁକ୍ତ ଭାବେ ୪୨ ଏବଂ ଆୟର୍ଲାଣ୍ଡର ଜୋଶ୍ ଲିଟିଲ୍ ୨୭ ସ୍ଥାନର ଲମ୍ଫ ସହ ଯୁଗ୍ମ ଭାବେ ୪୯ତମ ସ୍ଥାନରେ ପହଞ୍ଚିଛନ୍ତି । ରୋହନ୍ ମୁସ୍ତଫା ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ର ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ୨୦୨୦ରେ ନିଜର ସର୍ବଶ୍ରେଷ୍ଠ ପଞ୍ଚମ ସ୍ଥାନଠାରୁ ଗୋଟିଏ ସ୍ଥାନ ତଳେ ରହିଛନ୍ତି । ବ୍ୟାଟିଂ ସୂଚୀରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶାନ୍ ଶୀର୍ଷରେ ଥିବାବେଳେ ନ୍ୟୁଜିଲାଣ୍ଡର ଡେଭନ୍ କନ୍‌ୱେ ଛଅଟି ସ୍ଥାନର ଉନ୍ନତି ସହ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି ।

ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଆଫଗାନିସ୍ତାନର ଅନୁଭବୀ ସ୍ପିନର୍ ରଶିଦ୍ ଖାନ୍ ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପରେ ବୋଲିଂ ସୂଚୀର ଶୀର୍ଷ ୧୦ରେ ନିଜ ସ୍ଥାନ ପୁଣିଥରେ ହାସଲ କରିଛନ୍ତି । ସେ ଛଅଟି ସ୍ଥାନର ଉନ୍ନତି ସହ ୯ମରେ ଥିବାବେଳେ ବାଂଲାଦେଶ ମେହଦୀ ହସନ୍ ମିରାଜ୍ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଟପ୍ ସ୍କୋରର୍ ଥିବା ବାଂଲାଦେଶର ଲିଟନ୍ ଦାସ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ୩୨ତମ ର‌୍ୟାଙ୍କିଙ୍ଗ୍‌ରେ ପହଞ୍ଚିଛନ୍ତି । ଦିନିକିଆ ର‌୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ସୂଚୀରେ ପାକିସ୍ତାନର ବାବର୍ ଆଜମ୍ ଏବଂ ବୋଲିଂରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ୍ ବୋଲ୍ଟ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ।