କୋହଲିଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥ ଅଭିଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ସଂଘର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା। ହାଇପ୍ରୋଫାଇଲ କ୍ରିକେଟ ଖେଳାଳିଙ୍କ ବିରୋଧରେ ଅଭିଯୋଗ ଏହା ପୂର୍ବରୁ ସେ ଭାରତର କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ୍, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଓ କପିଳ ଦେବଙ୍କ ନାମରେ ଏଭଳି ଅଭିଯୋଗ ଆଣିଥିଲେ। କିନ୍ତୁ ଏହା ମଧ୍ୟରୁ ଗୋଟିଏ ହେଲେ ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇନାହିଁ। କୋହଲିଙ୍କ ନାମରେ ସେ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ବିସିସିଆଇ ଏଥିକ୍ସ ଅଫିସର ଡିକେ ଜୈନ ଗ୍ରହଣ କରିଛନ୍ତି। ଯଦି ଏହି ଅଭିଯୋଗରେ ବିସିସିଆଇ ସମ୍ବିଧାନ ବିରୋଧ କଲା ଭଳି କିଛି ଅଛି କି ନାହିଁ ପରୀକ୍ଷା କରିବି। ଯଦି ସମ୍ବିଧାନ ଉଲ୍ଲଙ୍ଘନ କଲା ଭଳି କିଛି ଥାଏ, ତେବେ କୋହଲିଙ୍କୁ ନୋଟିସ କରାଯିବ ବୋଲି ଜୈନ କହିଛନ୍ତି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ସାଙ୍ଗେ ଦୁଇଟି ପଦରେ ରହିଛନ୍ତି। ସେ ଏବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିବାସହ ଟ୍ୟାଲେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ‘କର୍ଣ୍ଣରଷ୍ଟୋନ୍ ସ୍ପୋର୍ଟ୍ସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ୍ ପ୍ରାଇଭେଟ ଲିଃ’ ଓ ‘ବିରାଟ କୋହଲି ସ୍ପୋର୍ଟ୍ସ ଏଣ୍ଟରଟେନ୍‌ମେଣ୍ଟ୍ ପ୍ରାଲିଃ’ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।

କର୍ଣ୍ଣରଷ୍ଟୋନରେ ବଣ୍ଟି ସାଜଦେ ଓ ବିନୟ ଭାରତ ଖୀମଜୀ ମଧ୍ୟ ନିର୍ଦ୍ଦେଶକ ଅଛନ୍ତି। ଉଭୟ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବେଶ୍ ଲେକପ୍ରିୟ। ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ ବିରାଟ କୋହଲି ଏକାଧିକ ସଂସ୍ଥାରେ ଭିନ୍ନ ଭିନ୍ନ ପଦବୀରେ ରହିଛନ୍ତି। ଯାହାକି ବିସିସିଆଇ ସମ୍ବିଧାନ ଧାରା ୩୮ରେ ଥିବା ଉପଧାରା ୪କୁ ଉଲ୍ଲଙ୍ଘନ କରୁଛି। ଲୋଧା କମିଟି ଦ୍ୱାରା ସୁପାରିସ୍ କରାଯାଇଥିବା ଏହି ବିସିସିଆଇ ସମ୍ବିଧାନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗୃହୀତ ହୋଇଛି। ଏହି ନିୟମ ଅନୁଯାୟୀ କୋହଲି ଗୋଟିଏ ପଦବୀରେ ରହିବା କଥା। କିନ୍ତୁ ତାହା ସେ ମାନି ନାହାନ୍ତି। ଏହାର ଅର୍ଥ ସେ ବିସିସିଆଇ ସମ୍ବିଧାନକୁ ଉଲ୍ଲଙ୍ଘନ କରୁଛନ୍ତି। ଏ ସମ୍ପର୍କରେ ବିଚାର କରିବାକୁ ସେ ବିସିସିଆଇ ଏଥିକ୍ସ ଅଫିସରଙ୍କ ନିକଟରେ ଅଭିଯୋଗ କରିଛନ୍ତି।