ଦେବଗଡ଼,ଏନ୍ଏନ୍ଏସ୍: କେନ୍ଦୁପତ୍ର ତୋଳାଳୀ ଏବଂ ଋତୁକାଳୀନ ଶ୍ରମିକଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାରଙ୍କ ୧୮% ଜିଏସଟି ବୋଝ ପାଇଁ ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ବାରମ୍ବାର ଦାବୀ ସତ୍ୱେ କେନ୍ଦ୍ର ଶୁଣୁନି । ଫଳରେ ହଜାର ହଜାର କେନ୍ଦୁପତ୍ର ତୋଳାଳୀ କ୍ଷତିଗ୍ରସ୍ତ ହେଉଥିବା କେନ୍ଦୁପତ୍ର କର୍ମଚାରୀ ମହାସଂଘ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ତୋଳାଳୀ ଓ କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଓଡ଼ିଶା କେନ୍ଦୁପତ୍ର ମହାସଂଘ ଲୋଡ଼ିଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ଆଜି ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାରଙ୍କୁ ସଂଘର ଦେବଗଡ଼ ଶାଖା ସଦସ୍ୟ ଦାବୀପତ୍ର ପ୍ରଦାନ କରିଛନ୍ତି । ପୂର୍ବାହ୍ନରେ ଜିଲ୍ଲାରେ କାର୍ଯ୍ୟରତ ସଂଘର ହଜାର ହଜାର ସଦସ୍ୟ ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ୱରେ ଗୋପାଳଜୀ ମନ୍ଦିରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସି କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୧୪ ଦଫା ସମ୍ମିଳିତ ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ରରେ ତୋଳାଳିଙ୍କୁ ବୋନସ ପ୍ରଦାନ ସହ ଚାକିରି ସର୍ତ୍ତାବଳୀ, ଛାତ୍ର ବୃତ୍ତି ଯୋଜନା ଓ କନ୍ୟା ବିବାହ ସହାୟତା ଯୋଜନା ଆଦିକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ଉଲ୍ଲେଖ କରାଯାଇଛି । କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ଲଗାଇଥିବା ୧୮ ପ୍ରତିଶତ ଜିଏସଟି ଭାର ଯୋଗୁ କେନ୍ଦୁପତ୍ର ତୋଳାଳୀମାନେ ଘୋର ଆର୍ôଥକ କ୍ଷତି ସହୁଥିବାରୁ ତୁରନ୍ତ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ସହ ୧୪ ଦଫା ଦାବୀ କେନ୍ଦୁପତ୍ର ତୋଳାଳୀ ଏବଂ ସିଜନାଳ କର୍ମଚାରୀ ସଂଘ କରିଛନ୍ତି । ଏହି ପ୍ରଦର୍ଶନରେ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତ୍ତୁଜା, ଡିଭିଜନ ସମ୍ପାଦକ ଭୂପେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର ଓ ସଂଘର ବରିଷ୍ଠ ସଦସ୍ୟ ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିବାବେଳେ ଡିଭିଜନସ୍ତରୀୟ ସଂଘର କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ ।