କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଣିକ ସଂଘର ଆହ୍ୱାନକ୍ରମେ ଆଜିଠୁ ସପ୍ତାହର ପ୍ରତ୍ୟେକ ଶନିବାର ଅପରାହ୍ନ ୨ଟାରୁ କେସିଙ୍ଗା ସହରର ସମସ୍ତ ଦୋକାନ ବଜାର ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଆଜି ଅପରାହ୍ନ ୨ଟାରୁ ପ୍ରାୟତଃ କେସିଙ୍ଗା ସହରର ପନିପରିବା ମାର୍କେଟକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମସ୍ତେ ଟଙ୍କା ପଛରେ ପ୍ରତିଯୋଗିତା ଭାବେ ଦୌଡୁଛନ୍ତି ହେଲେ କରୋନା ମହାମାରୀ ସମସ୍ତ ପାଇଁ ଏକ ବାର୍ତ୍ତା ଆଣି ଦେଇଛି । ଲକ୍ଷାଧିକ ଟଙ୍କା ଥିଲେ ମଧ୍ୟ ଅନେକ ଜୀବନ ବଞ୍ଚି ପାରିନଥିଲା । ସେହି ସମୟରେ ଜୀବନର ମୂଲ୍ୟ ଜଣା ପଡ଼ିଥିଲା ବୋଲି କେସିଙ୍ଗା ବଣିକ ସଂଘ ର ସଭାପତି ପିଣ୍ଟୁ ଶର୍ମା ପ୍ରକାଶ କରିଛନ୍ତି । ଏହା ପଛର ଉଦ୍ଦେଶ୍ୟ ହେଉଛି ଯେ ଗୋଟିଏ ଦିନ ଛୁଟି ପାଇଲେ ବ୍ୟବସାୟୀମାନେ ନିଜ ପରିବାରକୁ ସମୟ ଦେବାସହ ନିଜ ମାଟି ଓ ସହର ପାଇଁ କିଛି କରିବାକୁ ଚିନ୍ତା କରିପାରିବେ ବୋଲି ଶ୍ରୀ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।