କିଶୋର କୁମାରଙ୍କ ଗୀତ ଗାଇ ଚର୍ଚ୍ଚାରେ ପଦ୍ମନ

ଜୟପୁର,ଏନ୍ଏନ୍ଏସ୍: ଗତ କିଛିଦିନ ତଳେ କୋଲକାତାର କାଳୀଘାଟ ଷ୍ଟେସନ ନିକଟରେ ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଲୋକପ୍ରିୟ ବନି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ କୋରାପୁଟ ଜିଲ୍ଲା ଜୟପୁରର ଜଣେ ବ୍ୟକ୍ତି କିଶୋର କୁମାରଙ୍କ କଣ୍ଠକୁ ଅନୁକରଣ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ସେ ହେଉଛନ୍ତି ୫୫ ବର୍ଷିୟ ପଦ୍ମନ ଗୌଡ଼।


କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବାଲିପେଟା ସାହିର ରହୁଛନ୍ତି ପଦ୍ମନ। ବୃତ୍ତିରେ ସେ ଜଣେ ଅଟୋ ଚାଳକ। ଅଟୋ ଚଳାଇ ଯାହା ରେଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ଅଟୋ ଚଳାଇବା ବେଳେ ସେ କିଶୋର କୁମାରଙ୍କ ଗୀତକୁ ଗାଇଥାନ୍ତି। ଏ ନେଇ ପଦ୍ମନ ନିଜ ଅଞ୍ଚଳର କିଶୋର କୁମାର ଭାବେ ପରିଚିତ।

ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ପରିବାର ଆର୍ଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠ ପଢ଼ାରେ ଛାଡି ୧୪ବର୍ଷ ବୟସରେ ପରିବାର ଚଳାଇବା ପାଇଁ କର୍ମକ୍ଷେତ୍ରକୁ ଓହ୍ଲାଇଥିଲେ। ସେ ପ୍ର୍ରଥମେ ୨୦ବର୍ଷ ଏକ ଗାଡ଼ିରେ ଡ୍ରାଇଭର ରହିଥିଲେ। ପରେ ଫାଇନାନ୍ସରେ ଏକ ଅଟୋ ବାହାରକରି ନିଜେ ଚଳାଇ ପରିବାର ପୋଷୁଛନ୍ତି। ଏପରିକି ତାଙ୍କୁ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ମଧ୍ୟ ଦେଖିବାକୁ ମିଳିଛି। ଏସବୁ ପରେ ଘରେ ମଧ୍ୟ ନିଜର ସଙ୍ଗୀତ ସାଧନା ଜାରି ରଖିଛନ୍ତି। ପଦ୍ମନ ଏବେ ଜୟପୁର ସହର ନୁହଁ ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରପଲ୍ଲୀରେ କିଶୋର କୁମାର ଭାବେ ବେଶ ପରିଚୟ ହାସଲ କରିଛନ୍ତି। ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ପୁରସ୍କୃତ କରାଯାଇଛି। କିଶୋର କୁମାରଙ୍କ ଅବିକଳ ସ୍ୱରକୁ ନକଲ କରି ଗାଇପାରୁଥିବା ପଦ୍ମନଙ୍କୁ କେହି କେହି କିଶୋର ଦା’ ବୋଲି ଡାକିଥାନ୍ତି।