ଆଉ ଗରିବମାନଙ୍କ ଇନ୍ଧନ ହୋଇ ରହିବ ନାହିଁ କିରାସିନି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ମିଳିବ ନାହିଁ ଗରିବମାନଙ୍କ ଇନ୍ଧନ ଭାବରେ ପରିଚିତ ହେଉଥିବା କିରାସିନି ଉପରେ ରିହାତି। ଚଳିତ ବଜେଟରେ ସରକାର ସରକାର କିରାସିନି ଉପରେ ମୂଲ୍ୟ ବୃଦ୍ଧି କରିଛନ୍ତି। ଏଣିକି ସାଧାରଣ ବଣ୍ଟନ ପ୍ରକ୍ରିୟାରେ ମିଳୁଥିବା କିରାସିନିକୁ ଲୋକେ ବଜାର ଦରରେ କିଣିବେ। ଗତ ସୋମବାର ସଂସଦରେ ଆଗତ ହୋଇଥିବା ସାଧାରଣ ବଜେଟରେ ସରକାର କିରାସିନି ଉପରେ ଆଗରୁ ମିଳୁଥିବା ସବସିଡି ଜନିତ କୌଣସି ବ୍ୟବସ୍ଥା କରି ନାହାନ୍ତି।

ଚଳିତ ଆର୍ଥିକ ବର୍ଷରେ ଦେଶରେ ଗରିବମାନଙ୍କୁ ସାଧାରଣ ବଣ୍ଟନ ପ୍ରକ୍ରିୟାରେ ଯୋଗାଇ ଦିଆଯାଇଥିବା କିରାସିନି ଉପରେ ସରକାର ୨,୬୭୭.୩୨ କୋଟି ଟଙ୍କାର ସବସିଡି ପ୍ରଦାନ କରିଛନ୍ତି। ଯାହା ଗତ ଆର୍ଥିକ ବର୍ଷରେ ୪,୦୫୮ କୋଟି ଟଙ୍କା ଥିଲା। ଶିଳ୍ପ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ସରକାର ୨୦୧୬ ମସିହାରେ ଖୁଚୁରା ବ୍ୟବସାୟୀମାନଙ୍କୁ ସବସିଡି ହାର ହ୍ରାସ କରିବାପାଇଁ ପ୍ରତି ଦୁଇ ଦିନରେ କିରାସିନି ଉପରେ ୨୫ ପଇସା ଲେଖାଏଁ ବୃଦ୍ଧି କରିବାପାଇଁ ଅନୁମତି ଦେଇଥିଲେ।

ସରକାରଙ୍କ ତଥ୍ୟ ଅନୁଯାୟୀ ଗରିବ ପରିବାରଙ୍କୁ ଉଜ୍ଜ୍ୱଳା ଯୋଜନାରେ ୮ କୋଟି ମାଗଣା ଏଲ୍‍ପିଜି ସଂଯୋଗ ଯୋଗାଇ ଦିଆଯାଇଛି। ଯାହାଫଳରେ କିରାସିନିର ବ୍ୟବହାର ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟାର୍ଦ୍ଧ (ଏପ୍ରିଲ୍-୧୯ରୁ ଡିସେମ୍ବର-୨୦) ଶେଷ ସୁଦ୍ଧା କିରାସିନି ବ୍ୟବହାରରେ ୨୮.୪% ହ୍ରାସ ଘଟିଛି। ପେଟ୍ରୋଲ୍ ଡିଜେଲ୍ ଦରକୁ ସରକାରୀ ବ୍ୟବସ୍ଥାରୁ ମୁକ୍ତ କରିଦେବା ପରେ ଏବେ କେବଳ ସରକାର ଏଲପିଜି ଉପରେ ସବସିଡି ପ୍ରଦାନ କରୁଛନ୍ତି। ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୨,୪୮୦ କୋଟି ଟଙ୍କାର ସବସିଡି ପ୍ରଦାନ କରିଛନ୍ତି। ଯାହା ଚଳିତ ଆର୍ଥିକ ବର୍ଷରେ ୨୫,୫୨୦.୭୯ କୋଟି ଓ ଗତ ଆର୍ଥିକ ବର୍ଷରେ ୩୫,୬୦୫ କୋଟି ଥିଲା।