ଅରୁଣାଚଳ ପ୍ରଦେଶ: ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହୋଇଥିବା ତବାଙ୍ଗର ୟାଙ୍ଗତସେ କ୍ଷେତ୍ରକୁ ଆଜି ଆଇନ ମନ୍ତ୍ରୀ କିରେନ ରିଜିଜୁ ଗସ୍ତ କରିଛନ୍ତି । ସେଠାରେ ସୈନିକଙ୍କ ସହ ଏକ ଫଟୋ ମଧ୍ୟ ରିଜିଜୁ ସେୟାର କରିଛନ୍ତି । ତବାଙ୍ଗ ପହଞ୍ଚିବା ପୂର୍ବରୁ ଭାରତ-ଚୀନକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ରିଜିଜୁ ଟ୍ୱିଟ୍ କରିଥିଲେ ।
ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତୀୟ ସେନାକୁ ଅପମାନିତ କରିବା ସହ ଦେଶର ଛବି ଖରାପ କରୁଛନ୍ତି । ସେ କେବଳ କଂଗ୍ରେସ ପାର୍ଟି ପାଇଁ ସମସ୍ୟାର କାରଣ ନୁହଁନ୍ତି ବରଂ ଦେଶ ପାଇଁ ଏକ ଲଜ୍ଜା । ଆମେ ଆମ ସେନାକୁ ନେଇ ଗୌରବାନ୍ୱିତ ଅନୁଭବ କରୁଛୁ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି କହିଥିଲେ ଯେ, ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବାବେଳେ ଭାରତ ସରକାର ଯୁଦ୍ଧକୁ ଖାତିର ନକରି ଶୋଇ ରହିଛି । ଚୀନ ୨ହଜାର ବର୍ଗ କିମି ଭାରତୀୟ କ୍ଷେତ୍ର ନେଇ ସାରିଲାଣି । ୨୦ ଭାରତୀୟ ଯବାନଙ୍କୁ ହତ୍ୟା କରିବା ସହ ଅରୁଣାଚଳ ପ୍ରଦେଶରେ ଆମ ଯବାନକୁ ପିଟୁଛି ।