ପୂର୍ବ କନ୍ଦଳରୁ ଜିଲ୍ଲାପାଳ କ୍ଷମତା ବିଶିଷ୍ଟ ସରପଞ୍ଚଙ୍କୁ ହାଣି ହତ୍ୟା

ନୟାଗଡ଼,ଏନ୍‌ଏନ୍‌ଏସ୍‌: କରୋନା ମହାମାରୀ ସମୟରେ ନୟାଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ମହାମାରୀର ସଂକ୍ରମଣ ପାଇଁ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଢୋଲମରା ସରପଞ୍ଚଙ୍କୁ ହାଣି ହତ୍ୟା କରାଯାଇଛି।

ସରପଞ୍ଚ ସୁଶାନ୍ତ କୁମାର ବେହେରାଙ୍କ ସହ ତାଙ୍କ ପଡ଼ୋଶୀ କୁଳମଣୀ ସ୍ୱାଇଁଙ୍କ ସହ ପୂର୍ବରୁ କିଛି ମନମାଳିନ୍ୟ ରହିଥିଲା। କୁଳମଣୀଙ୍କ ପାରିବାରିକ କଥାରେ ସୁଶାନ୍ତ ହସ୍ତକ୍ଷେପ କରୁଥିବା ନେଇ କୁଳମଣୀ ସୁଶାନ୍ତୁଙ୍କୁ ପୂର୍ବରୁ ହତ୍ୟା ଧମକ ଦେଇଥିଲେ।

ଗତକାଲି ସରପଞ୍ଚ ସୁଶାନ୍ତ ତାଙ୍କ ଘର ପିଣ୍ଢାରେ ବସିଥିବା ବେଳେ କୁଳମଣୀ ଏକ ଟାଙ୍ଗିଆ ସାହାଯ୍ୟରେ ତାଙ୍କୁ ହାଣି ଦେଇଥିଲେ। ପରେ ଗାଁ ଲୋକେ ସୁଶାନ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବେଚ୍ଛଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।