ଡାହାଣୀ ସନ୍ଦେହରେ ମାଆ ଓ ଝିଅଙ୍କ ହତ୍ୟା ମାମଲାରେ ୬ ଗିରଫ

ରାଉରକେଲା,ଏନ୍ଏନ୍ଏସ: ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ ଲାଠିକଟା ଅଂଚଳର ଡାହାଣୀ ସନ୍ଦେହରେ ମା ଓ ଝିଅଙ୍କୁ ହତ୍ୟା ଘଟଣାରେ ବଣେଇ ପୁଲିସ ସଫଲତା ହାସଲ କରିଛି। ଏହି ଘଟଣାରେ ପୁଲିସ ଫେରାର ୬ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ଏଥିରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମାନେ ବତ୍ତର୍ମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସୁନୀଲ ଏକ୍କା, ଅନୀଲ ଏକ୍କା, ଏତବା ଏକ୍କା, ଭଦ୍ରା କେର୍କେଟା ଓ ମଙ୍ଗରା ଟପ୍ନୋ। ଆଜି ସେମାନଙ୍କୁ ଚାନ୍ଦିପୋଷ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଉକ୍ତ ଗ୍ରାମବାସୀ ଗାଙ୍ଗି କେର୍କେଟା ଓ ତାଙ୍କ ୫ ବର୍ଷିୟ ଝିଅକୁ ଡାହାଣୀ ସନ୍ଦେହରେ ଗ୍ରାମସଭାରେ ମୃତ୍ୟୁଦଣ୍ଡର ନିଷ୍ପତ୍ତି ଶୁଣାଇ ନିର୍ମମ ଭାବେ ହତ୍ୟା କରି ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲେ। ଶୁକ୍ରବାର ଅପରାହ୍ନରେ ଗାଙ୍ଗୀଙ୍କୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଦାର୍ଜି ନିକଟସ୍ଥ ବ୍ରାହ୍ମଣୀ ନଦୀପଠାରୁ ଶବ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଝିଅର ଶବର ପତ୍ତା ମିଳିପାରିନାହିଁ। ଏହି ଘଟଣାରେ ଗାଙ୍ଗୀଙ୍କ ସ୍ୱାମୀ ଜୀବନ ପ୍ରତି ଭୟ ଥିବା ଯୋଗୁଁ ଆତ୍ମଗୋପନ କରିଥିଲେ। ଘଟଣା ପ୍ରଘଟ ହେବା ପରେ ସେ ପୁଲିସ ଶରଣରେ ଆସିଥିଲେ । ଏ ନେଇ ପୁଲିସ ନିଜ ପକ୍ଷରୁ ମାମଲା ରୁୁଜୁ କରିଛି।