କିଟ୍‍ ବିଶ୍ୱବିଦ୍ୟାଳୟକୁ ‘ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ’ ମାନ୍ୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ‘ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ’ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ଦୂରଦୃଷ୍ଟି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରୟାସ ଆରମ୍ଭ କରିଥିଲେ।

ଏହି ପ୍ରକିୟାରେ ଦେଶର ଯେଉଁସବୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅଛନ୍ତି, ସେମାନଙ୍କ ମଧ୍ୟରୁ କେଉଁମାନେ ଆଗାମୀ ଦିନରେ ଆହୁରି ଉନ୍ନତି କରିପାରିବେ ଏବଂ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଅନୁଷ୍ଠାନ ସହ ସମକକ୍ଷ ହୋଇପାରିବେ ସେଥି ନିମନ୍ତେ ପ୍ରାକ୍ତନ ମୁଖ୍ୟ ନିର୍ବାଚନ କମିଶନର ଏନ୍ ଗୋପାଳସ୍ୱାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏଥିରେ ଅନ୍ୟ ୫ଜଣ ଶିକ୍ଷାବିତ୍‍ ମଧ୍ୟ ସଦସ୍ୟ ଥିଲେ। ଏହି ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଦେଶରେ ଥିବା ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା।

ବିଶ୍ୱସ୍ତରୀୟ ମାନ୍ୟତା ପାଇବା ପାଇଁ ଦେଶର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଆବେଦନ କରିଥିଲେ, ସେମାନଙ୍କୁ ନୂଆଦିଲ୍ଲୀରେ ସେମାନଙ୍କ ଅନୁଷ୍ଠାନ ସଂପର୍କରେ ପ୍ରଦର୍ଶନ କରିବା ପାଇଁ କୁହାଯାଇଥିଲା। ଏହି ପ୍ରଦର୍ଶନକୁ ଭିତ୍ତିକରି ଗୋପାଳସ୍ୱାମୀ କମିଟି ଦେଶର ୧୦ଟି ପ୍ରମୁଖ ସରକାରୀ ଓ ୧୦ଟି ଘରୋଇ ଶକ୍ଷିାନଷ୍ଠୁାନକୁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନସ’ ମାନ୍ୟତା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ମଞ୍ଜରୁୀ କମଶିନ (ୟୁଜିସି)କୁ ସୁପାରିଶ କରିଥିଲେ। ଇନଷ୍ଟିଚ୍ୟୁଟ ଅଫ୍‍ ଏମିନେନସ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩ଟି ସରକାରୀ ଓ ୩ଟି ଘରୋଇ ଶିକ୍ଷାନୁଷ୍ଠାନର ନାମ ଘୋଷଣା କରାଯାଇଥିଲା।

ପୁନର୍ବାର ୟୁଜିସି ଦ୍ୱାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ୧୦ଟି ଶିକ୍ଷାନୁଷ୍ଠାନ ନାମ ସୁପାରିଶ କରାଯାଇଥିଲା। ଏହି ଭିତ୍ତିରେ ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି ସରକାରୀ ଓ ୫ଟି ଘରୋଇ ଅନୁଷ୍ଠାନକୁ ‘ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ’ ମାନ୍ୟତା ପ୍ରଦାନ କରାଯାଇଥିଲା। ଉକ୍ତ ୫ଟି ଅଗ୍ରଣୀ ଉଚ୍ଚତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଏବଂ ପୂର୍ବ ଭାରତରେ ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୪ ତାରିଖରେ ମନ୍ତ୍ରାଳୟ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ‘ହେତୁ ପତ୍ର’ (ଲେଟର ଅଫ୍‍ ଇଣ୍ଟେଣ୍ଟ) ପ୍ରଦାନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ପ୍ରୟାସ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟ ଆଜି ‘ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ’ରେ ସ୍ଥାନୀତ ହୋଇଥିବାରୁ ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ୧୯୯୭ରୁ ୨୦୧୯ ମାତ୍ର ୨୨ବର୍ଷ ମଧ୍ୟରେ କିଟ୍‍ ଏହି ବିରଳ ସଫଳତା ପାଇବା ଦିଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସହଯୋଗ ପାଇଁ କିଟ୍‍ ପରିବାର ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।