କିଟ୍‌-କିସ୍‌ ଓ ୟୁନେସ୍କୋ ଏମ୍‌ଜିଆଇପି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାଜିକ ଓ ଭାବାତ୍ମକ ଶିକ୍ଷା ଉପରେ ଅନ୍‌ଲାଇନ୍‌ ପାଠ୍ୟକ୍ରମ ସକାଶେ କିଟ୍‌-କିସ୍‌ ଓ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ୍‌ ଫର ପିସ୍‌ ଆଣ୍ଡ ସଷ୍ଟେନେବଲ୍‌ ଡେଭେଲପମେଣ୍ଟ (ଏମ୍‌ଜିଆଇପି) ମଧ୍ୟରେ ଗୁରୁବାର ମିଳିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କିସ୍‌ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍‌ ତ୍ରିପାଠୀ ଏବଂ ୟୁନେସ୍କୋ ଏମ୍‌ଜିଆଇପିର ନିର୍ଦ୍ଦେଶକ ଡ. ଅନନ୍ତ ଦୁରିଆପ୍ପାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। କିଟ୍‌ ଓ କିସ୍‌ର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଏମ୍‌ଜିଆଇପି ଅନ୍‌ଲାଇନରେ ସହାନୁଭୂତି ଓ ମାନବିକତା ପାଇଁ ସ୍ୱନିର୍ଦ୍ଦେଶିତ ଭାବାତ୍ମକ ଉପରେ ଶିକ୍ଷା ପ୍ରଦାନ କରିବ। ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ କିଟ୍‌ ବିଶ୍ୱବିଦ୍ୟାଳୟ ଓ କିସ୍‌ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ପ୍ରଥମ। ଏହି ପାଠ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ମଧ୍ୟ ଅନୁମୋଦନ କରିଛି।

୩ଟି ପର୍ଯ୍ୟାୟରେ ୧୦ଟି କୌଶଳ ଉପରେ ୪୦ ଘଣ୍ଟାର ପାଠ୍ୟକ୍ରମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟୁନେସ୍କା ଏମ୍‌ଜିଆଇପିର ନିର୍ଦ୍ଦେଶକ ଡ. ଦୁରିଆପ୍ପା କହିଲେ, କିସ୍‌ ହେଉଛି କିଟ୍‌ ମାନବିକତାର ଦର୍ପଣ। କିଟ୍‌ ଓ କିସ୍‌ ଦୟା ଓ ମାନବିକତା ଉପରେ ପର୍ଯ୍ୟବେସିତ ଆର୍ଟ ଅଫ୍‌ ଗିଭିଂ, କନ୍ୟା କିରଣ, କଳିଙ୍ଗ ଫେଲୋସିପ, ନୂଆ ମନ ନୂଆ ସପନ, ଓଡ଼ିଶା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ କରିବା ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବିଶ୍ୱ ମହାମାରୀ ସମୟରେ ମଧ୍ୟ ଗରିବ ଓ ନିସହାୟ ଲୋକଙ୍କୁ ସହାୟତାର ହାତ ବଢାଇ କିଟ୍‌ ଓ କିସ୍‌ ଦୟା ଓ ମାନବିକତାର ନିଦର୍ଶନ ଦେଖାଇଛନ୍ତି ବୋଲି ସେ କହିଥିଲେ। ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ କରିବା ମୁଁ ଦେଖିନାହିଁ ବୋଲି ଡ. ଦୁରିଆପ୍ପା କହିଥିଲେ।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, କିଟ୍‌ ଓ କିସ୍‌ ଉଭୟ ଅନୁଷ୍ଠାନ ସହାନୁଭୂତି, ଦୟା ଓ ମାନବିକତା ମୂଲ୍ୟବୋଧ ଉପରେ ଗଢି ଉଠିଛି। ୟୁନେସ୍କୋ ଏମ୍‌ଜିଆଇପି ସହଯୋଗରେ କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଭାବାବେଗ ସଶକ୍ତ ହୋଇପାରିବେ। ପ୍ରଥମ ପର୍ଯ୍ୟାୟରେ ୟୁନେସ୍କୋ ଏମ୍‌ଜିଆଇପି ଏଥିପାଇଁ ୧ ହଜାର ଫାକଲ୍‌ଟି ଏବଂ କର୍ମଚାରୀ ଓ ୧୧ ହଜାର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ ଶିକ୍ଷା ପ୍ରଦାନ ବୋଲି କିସ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ଶ୍ରୀ ତ୍ରିପାଠୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରେ ଅବସ୍ଥିତ ଜାତିସଂଘ ଓ ଅନେକ ଦୂତାବାସର ପ୍ରତିନିଧି ଯୋଗଦେଇଥିଲେ। ୟୁନେସ୍କୋ ଏମ୍‌ଜିଆଇପି ଓ ଆମେରିକାର ଲାଇଫ୍‌ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ପାଠ୍ୟକ୍ରମକୁ ବିକଶିତ କରିଛନ୍ତି। ୪୦ଘଣ୍ଟାର ଏହି ପାଠ୍ୟକ୍ରମ ଶେଷ କରୁଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ୟୁନେସ୍କୋ ଏମ୍‌ଜିଆଇପି ଓ ଆମେରିକାର ଲାଇଫ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ୱୀକୃତି ପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ।