ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାର ପାଇଁ କିଟର ବିଶେଷ ସହାୟତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଟ୍ରାଜେଡି ପରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ କିଟ୍ ପକ୍ଷରୁ ବିଶେଷ ସହାୟତା ଘୋଷଣା କରାଯାଇଛି । ଏନେଇ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରେସ କନଫ୍ରେନ୍ସରେ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର ମୃତକଙ୍କ ପରିବାରର ଜଣେ ସଦସ୍ୟକୁ କିଟ୍ କିମ୍ବା କିସରେ ନିଯୁକ୍ତି ଦିଆଯିବ । ଏହାସହ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର କଷ୍ଟକୁ ଆମେ ଲାଘବ କରି ନ ପାରିଲେ ବି ସେମାନଙ୍କୁ କିଛି ସହାୟତା ଯୋଗାଇ ପାରିବା । ପୂର୍ବରୁ ଅନେକ ଦୁର୍ବିପାକ ସମୟରେ କିଟ୍ ଓ କିସ୍ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି । କୋଭିଡ ସମୟରେ କିଟ୍ ଶତାଧିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ସହ ଲକ୍ଷାଧିକ ଲୋକଙ୍କୁ ସାହାଯ୍ୟ କରିଥିଲା ।