ଅପହରଣ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡା, ଏନ୍ଏନ୍ଏସ୍ : ରାୟଗଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାର ରାୟ ପ୍ରକାଶ ପାଇଛି। ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରୁ ଦୁଇ ଯୁବକଙ୍କୁ ଅପହରଣ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲା ଦୌରା ଜର୍ଜ ଆଷିଶକୁମାର ତ୍ରିପାଠୀ । ରାୟରେ ତିନି ଅଭିଯୁକ୍ତ ଉମେଶ ବାଗ, ଉଗ୍ରସେନ ବାଗ, ପଦ୍ମନ ବାଗଙ୍କ ଆଜୀବନ କାରା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମାମଲାରେ ସଂମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତ ନିତୁ ହିଆଲ, ଦିନେଶ କାଡିଆ ଏଯାଏଁ ଫେରାର ଥିବାରୁ ସେମାନଙ୍କ ବିରୋଧରେ ରାୟକୁ ସଂଗ୍ରକ୍ଷଣ ରଖାଯାଇଥିବା ସୂଚନା ମିଳିଛି।

ଘଟଣା ଅନୁଯାୟୀ, ୨୦୧୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଟିକିରିର ରାଜେଶକୁମାର ସାହୁ, ଛବିନାରୟଣ ସାହୁ ଏକ ଇଣ୍ଡିଗୋ କାର ଯୋଗେ ନାରାୟଣପାଟଣା ଯାଉଥିଲେ । ନାରାୟଣ ପାଟଣାରୁ ଫେରିବା ପରେ ରାୟଗଡାରେ କାର ମରାମତି କରି ପୁଣି ଟିକିରି ଅଭିମୁଖେ ଦୁହେଁ ଫେରୁଥିଲେ । ରାସ୍ତାରେ ଏକ ଇନୋଭା କାର ପିଛା କରିବା ସହିତ କଳିଆପଡା ଘାଟିରେ ଅଟକାଇଥିଲେ। ଇନୋଭାରୁ ପାଚଂ ଅଭିଯୁକ୍ତ ଓହ୍ଲାଇ ରାଜେନ୍ଦ୍ର ଓ ଛବିଙ୍କୁ ଅପହରଣ କରି ନେଇଥିଲେ । ମୁନିଗୁଡା ନିକଟସ୍ଥ ଏକ ଜଙ୍ଗଲରେ ଉଭଙ୍କୁ ରଖିବା ପରେ ପାଚଂ ଲକ୍ଷଟଙ୍କା ଦେଲେ ଦୁହେଁଙ୍କୁ ଛାଡିବାକୁ କହିଥିଲେ । ଟଙ୍କା ପଇଠ କରିବାକୁ ପରିବାର ଲୋକଙ୍କୁ ଫୋନ କରିବା ପାଇଁ ଅଭିଯୁକ୍ତମାନେ କହିବା ପରେ ରାଜେନ୍ଦ୍ର ନିଜ ସାଙ୍ଗ ବାବୁଲା ସାହୁଙ୍କୁ ଫୋନ କରି ଘଟଣା ସଂମ୍ପର୍କରେ ଜଣାଇବା ସହ ଏ ସମ୍ପର୍କରେ ଘରକୁ ଖବର ଦେବା ପାଇଁ କହିଥିଲେ ।

ବାବୁଲା ଘଟଣା ସଂମ୍ପର୍କରେ ରାଜେନ୍ଦ୍ରଙ୍କ ବାପାଙ୍କୁ କହିବା ପରେ ରାଜେନ୍ଦ୍ର ଏ ନେଇ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ତ୍ୱରିତ ପଦକ୍ଷେପ ନେବା ପରେ ଅଭିଯୁକ୍ତମାନେ ଭୟରେ ରାଜେଶ ଓ ଛବିକୁ ଛାଡି ଦେଇଥିଲେ ଅପହରଣକାରୀଙ୍କ ମଧ୍ୟରୁ ତିନି ଜଣ ଉଗ୍ରସେନ ଉମେଶ, ପଦ୍ମନଙ୍କୁ ରାଜେନ୍ଦ୍ର ଚିହ୍ନିନଥିବାରୁ ପରବର୍ତି ସମୟରେ ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ପୁଲିସ ମୋଟ ପାଚଂ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ନିତୁ ହିଆଲ ଓ ଦିନେଶ ବାଡିଆଙ୍କୁ ଆଜି ଯାଏଁ ପୁଲିସ ଗିରଫ କରିପାରିବାରେ ସକ୍ଷମ ହୋଇ ନାହିଁ । ଉପରୋକ୍ତ ମାମଲାର ସରକାରୀ ଆଇନଜୀବୀ ମହେଶ୍ୱର ମହାପାତ୍ର ମାମଲାର ପରିଚାଳନା କରିଥିଲେ।