ଅପହରଣ ବେଳେ ନାବାଳିକା ଉଦ୍ଧାର

  • ଯାଜପୁର, ଏନଏନଏସ: ଅପହରଣବେଳେ ୫ ବର୍ଷର ନାବାଳିକା ଉଦ୍ଧାର ହୋଇଛି। ୧୬ ନଂ. ଜାତୀୟ ରାଜପଥର ସୋତି ନିକଟରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ନାବାଳିକା ଯାଜପୁର ଜିଲ୍ଲା ଶଙ୍ଖଚିଲା ଫାଣ୍ଡି ପହଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ଅଜଣା ବ୍ୟକ୍ତି ଜଣକ ସାଇକେଲ୍ରେ ୫ ବର୍ଷର ଝିଅକୁ ଅପହରଣ କରିନେଉଥିଲେ। ଏହି ସମୟରେ ଝିଅଟି କାନ୍ଦୁଥିବା ଶୁଭିଥିଲା। କାନ୍ଦ ଶୁଣି ସ୍ଥାନୀୟ ଲୋକେ ସାମ୍ବାଦିକଙ୍କୁ ଫୋନ୍ କରି କହିଥିଲେ। ପରେ ସାମ୍ବାଦିକ ଜଣଙ୍କ ଯାଜପୁର ଏସ୍ପି ରାହୁଲ ପିଆରଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ତା’ପରେ ଏସ୍ପି ପାଣିକୋଇଲି ଥାନାକୁ ଖବର ଦେଇଥିଲେ।
    ଅନ୍ୟପକ୍ଷରେ ଅପହର୍ତ୍ତା ଏ ସମ୍ପର୍କରେ ଜାଣିପାରି ନାବାଳିକାକୁ ୧୬ ନଂ. ଜାତୀୟ ରାଜପଥର ସୋତି ଗାଁ ନିକଟରେ ଛାଡ଼ି ପଳାଇ ଯାଇଥିଲା। ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଥାନାକୁ ଆଣିଛି। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।