ଚନ୍ଦ୍ରପୁର/ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ପଞ୍ଚାୟତସ୍ଥିତ ଖିଲାମୁଣ୍ଡାରେ ମାଁ ମଙ୍ଗଳାଙ୍କ ପାରମ୍ପରିକ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖିଲାମୁଣ୍ଡାର ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ପରମ୍ପରା ଅନୁଯାୟୀ ୧୨ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରା ପାଇଁ ଅକ୍ଟୋବର ୧୬ ତାରିଖରେ ବଂଶଧାରା ନଦୀ ତଟରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବାଲି ଆଣି ସେଥିରେ ବିଭିନ୍ନ ଶସ୍ୟ ବୁଣା ଯାଇଥିଲା । ଯାତ୍ରାର ଶେଷ ଦିନ ସକାଳୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ସହ ମାନସିକଧାରୀମାନେ ଏଠାରେ ମଣ୍ଡନ କରିଥାନ୍ତି । ମାନସିକ ପୂରଣ ହେବା ପରେ ପାରା, କୁକୁଡ଼ା, ଛେଳି ଓ ବୋଦାଙ୍କୁ ବଳି ଦେଇଥାନ୍ତି । ମାଁ ମଙ୍ଗଳାଙ୍କ ଅଲୌକିକ ଶକ୍ତି ଦ୍ୱାରା କଣ୍ଟା ଦୋଳିରେ ଝୁଲିବା ଓ କଞ୍ଚା ମାଠିଆ ଉପରେ ବସିବା ପରି ଶକ୍ତିକୁ ଭକ୍ତିର ସହ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାନ୍ତି । ସେହିପରି ମାଁ ମଙ୍ଗଳାଙ୍କ ମହିମାରେ ତତଲା ନିଆଁରେ ପୂଜାରୀ ଓ ବାହୁକଙ୍କ ଚାଲିବା ଦୃଶ୍ୟ ସମସ୍ତ ଅଞ୍ଚଳବାସୀଙ୍କୁ ଆକର୍ଷିତ କରିଥିଲା । ଶେଷରେ ମାଁ ମଙ୍ଗଳାଙ୍କୁ ଗ୍ରାମ ପରିକ୍ରମା କରି ମାଁଙ୍କ ସ୍ଥାନରେ ରଖାଯିବାର ବିଧି ରହିଛି ବୋଲି ଯାତ୍ରା କମିଟି ସଭାପତି ଯୋଶୀ ବାତ୍ରା ପ୍ରକାଶ କରିଛନ୍ତି । ହଜାର ହଜାର ଭକ୍ତଙ୍କ ମନ ଖୁସି କରିବା ସହ ନିଜ ଅଞ୍ଚଳର ଯୁବପୀଢ଼ୀଙ୍କ କଳା ପ୍ରତିଭାକୁ ଦର୍ଶକଙ୍କ ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ପ୍ରଦର୍ଶନ କରାଇଥିଲେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାଁ ମଙ୍ଗଳା ଯୁବ ସଂସଦର ୪୮ ଜଣ ସଦସ୍ୟଙ୍କୁ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଝାମଯାତ୍ରାରେ ଡମ୍ବୁରୁ କନ୍ତାରି ମୁଖ୍ୟ ପୂଜାରୀ ଭାବେ ଦାୟିତ୍ତ୍ୱ ବହନ କରିଥିବାବେଳେ ଗ୍ରାମ ମୁଖିଆ ରାମାରାଓ ଚେଟିଦୋରା ବାହୁକ ଟଙ୍କଧର ଗଙ୍ଗେଡ଼ା, ମହେନ୍ଦ୍ର କିମା, ଗୋବିନ୍ଦ ସାରକା ଓ ଦୟାନିଧି ଚେତିଦୋରା ଅଂଶଗ୍ରହଣ କରିଥିଲେ । ସେହିପରି ମୁନିଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ କୁଟ୍ରୁକା, ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ସିକକା, ସମିତି ସଭ୍ୟ ଗାଁ ମୁଖିଆ ରାମାରାଓ ଚିତିଦୋରା ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିଥିବାବେଳେ ଯାତ୍ରା କମିଟି ସଭାପତି ଯୋଶୀ ବାତ୍ରା, ସମ୍ପାଦକ ଦୟାନିଧି ଚିଟିଦୋରାଙ୍କ ସମେତ ଗ୍ରାମର ମୁଖିଆ ଓ ବୁଦ୍ଧିଜୀବୀମାନେ ସହଯୋଗ କରିଥିଲେ ।