ପଶ୍ଚିମବଙ୍ଗ ପରେ ଏବେ ଗୁଜରାଟରେ ‘ଖେଲୋ ହୋବେ’, ପ୍ରଥମ ଥର ଅହମ୍ମଦାବାଦରେ ଲାଗିଲା ମମତାଙ୍କ ବ୍ୟାନର

ଅହମ୍ମଦାବାଦ,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନଜର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହରାଜ୍ୟ ଗୁଜରାଟ ଉପରେ ପଡିଛି। ଏଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ପରେ ଏବେ ଗୁଜରାଟରେ ମଧ୍ୟ ଖେଳ କରିବା ମୁଡରେ ଅଛନ୍ତି। ଏହାର ପ୍ରସ୍ତୁତି ମଧ୍ୟ ଟିଏମସି ଆରମ୍ଭ କରି ଦେଇଛି। ଜୁଲାଇ ୨୧ରେ ମମତା ବାନାର୍ଜୀ ସହିଦ ଦିବସ ଅବସରରେ ସମଗ୍ର ଦେଶରେ ଭର୍ଚୁଆଲ ରାଲି ଆୟୋଜନ କରିବାକୁ ଯାଉଛନ୍ତି।

ଏ ପର୍ଯ୍ୟନ୍ତ ମମତା ବାନାର୍ଜୀ ସହିଦ ଦିବସ କାର୍ଯ୍ୟକ୍ରମକୁ କୋଲକାତା ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସୀମିତ ରଖିଥିଲେ। ହେଲେ ଏବେ ଦେଶର ଅନେକ ରାଜ୍ୟରେ ଭର୍ଚୁଆଲ ବୈଠକ କରିବାକୁ କରିବାକୁ ଯାଉଛନ୍ତି। ଗୁଜରାଟରେ ଗୁଜରାଟି ଭାଷାରେ ଏହି ଭର୍ଚୁଆଲ ମିଟିଂର ବ୍ୟାନର ଲଗାଯାଇଛି।

ଅହମ୍ମଦାବାଦର ରାଜ୍ୟ ପରିବହନ ବସ ଷ୍ଟାଣ୍ଡରେ ଗୁଜରାଟି ଭାଷାରେ ଲଗାଯାଇଥିବା ବ୍ୟାନରରେ ଲେଖା ହୋଇଛି ଯେ, ଜୁଲାଇ ୨୧ରେ ମମତା ଦିଦି ଅପରାହ୍ନ ୨ଟାରେ ଭର୍ଚୁଆଲ ମିଟିଂକୁ ସମ୍ବୋଧିତ କରିବେ। ଗୁଜରାଟରେ ମମତାଙ୍କ ଫଟୋ ସହିତ ଲାଗିଥିବା ବ୍ୟାନର ବହୁତ କିଛି ବର୍ଣ୍ଣନା କରୁଛି। ପ୍ରଥମ ଥର ମମତାଙ୍କ ବ୍ୟାନର ଗୁଜରାଟରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ବିଜୟ ପରେ ଉତ୍ସାହିତ ମମତା ଗୁଜରାଟର ନିର୍ବାଚନୀ ମଇଦାନରେ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି।