ବଲାଙ୍ଗିରରେ ଖରିଫ ଧାନ କିଣା ଆରମ୍ଭ

ବଲାଙ୍ଗିର,ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜିଠୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ପେକ୍ସରେ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଚଳିତ ନଭେମ୍ବର ୨୫ରୁ ୧୫୮ଟି ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) ଓ ୧୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯିବ।

ସେହିପରି ଖପ୍ରାଖୋଲ ପେକ୍ସରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ସମବାୟ ସମିତି ଉପନିବନ୍ଧକ ଦମୟନ୍ତୀ ସିଂଙ୍କ ସମେତ ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ)ର ଅଧିକାରୀ, କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ । ସେହିପରି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ମହିମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ)ରେ ଆଜି ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ଅନ୍ୟପଟେ ମହିମୁଣ୍ଡାରେ ଧାନ କିଣା କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ)ର ଅଧିକାରୀ, କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ । ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲାରେ ୭୪,୪୫୦ଜଣ ଚାଷୀ ପେକ୍ସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଥିବା ସୂଚନା ରହିଛି ।