ଆଜି ଠାରୁ ଖଣ୍ଡଗିରି ମେଳା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଠାରୁ ମହା ମାଘସପ୍ତମୀ ଆରମ୍ଭ ହୋଇଥିବା ବେଳେ ଏହି ପବିତ୍ର ତିଥି‌ରେ ସାଧୁସନ୍ଥମାନେ ଖଣ୍ଡଗିରି ପାହାଡ଼ରେ ସୂର୍ୟ୍ୟ ଉପାସନା କୁମ୍ଭମେଳାର ଅନ୍ତିମ ପର୍ୟ୍ୟାୟ ଆରମ୍ଭ କରିବେ। ଅପରପକ୍ଷରେ ଆଜିଠାରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଛି । ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ବା ସୂର୍ୟ୍ୟ ଉପାସନା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ। ଓ ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମପୁଣ୍ୟ ପ୍ରାପ୍ତ ହେବ।

ସେହିଭଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ ହେବେ। ଖଣ୍ଡଗିରି ଥାନା ପକ୍ଷରୁ ଜଣେ ସବ୍ ଇନ୍‌ସ୍ପେକ୍ଟରଙ୍କ ଦାୟିତ୍ବରେ ଏକ ଅସ୍ଥାୟୀ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯିବ ଓ ଏହି କ୍ୟାମ୍ପରୁ ସିସିଟିଭି ଜରିଆରେ ପୁଲିସ ମେଳା ଉପରେ ନଜର ରଖିବ। ସାଦା ପୋଷାକ‌ରେ ଉଭୟ ମହିଳା ଓ ପୁରୁଷ ପୁଲିସ କର୍ମଚାରୀ ମେଳାରେ ବୁଲିବେ।

ବିଶେଷକରି ପାହାଡ଼ ଉପରେ ପୋଲିସ କର୍ମଚାରୀ ଅଧିକ ନଜର ରଖିବେ। ଶାନ୍ତିଶୃଙ୍ଖଳା ରକ୍ଷା କାମରେ ସ୍ଥାନୀୟ କଳିଙ୍ଗ ଗ୍ରାମ୍ୟ ଉନ୍ନୟନ ପରିଷଦର ସଦସ୍ୟମାନେ ପୋଲିସକୁ ସହଯୋଗ କରିବେ।